ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ଭାଜପା ବିଧାୟକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୪ ବର୍ଷ ଧରି ବିଜେଡି ଶାସନରେ ଲୋକେ ବିତୃଷ୍ନା ହୋଇ ନୂତନ ଶାସନକୁ ଚୟନ କରି ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀଙ୍କୁ ଗାଦିରେ ବସାଇଲେ।
ଲୋକଙ୍କର ଆଶା ଥିଲା ଯେ, ନୁଆଁ ବିଧାୟକ ହେବା ପରେ ଲୋକଙ୍କ ସମସ୍ୟାର ସମାଧାନ ହେବ। ପୁରୁଣା ବିଧାୟକଙ୍କ ପାଖକୁ ସାଧାରଣ ଲୋକେ ପଶି ପାରୁନଥିବା ବେଳେ ନୁଆଁ ବିଧାୟକ ଲୋକଙ୍କ ମଝିରେ ବସି ସମସ୍ୟା ସମାଧାନ କରିବାରେ ବିଜ୍ଞ। ତୃଣମୂଳ ସ୍ତରରୁ ରାଜନୀତି ଆରମ୍ଭ କରିଥିବା ବିଧାୟକ ପ୍ରତାପ ପ୍ରଧାନଙ୍କ ଲୋକ ପ୍ରିୟତା ସବୁ ନେତାଙ୍କ ଠାରୁ ଢେର ଆଗରେ ରହିଛି। ସକାଳୁ ସଞ୍ଜ ଯାଏ ସବୁ ସମୟରେ ଘର ଠାରୁ କାର୍ଯ୍ୟଳୟ ସବୁଠାରେ ଲୋକଙ୍କ ଭିଡ଼ ଭିତରେ ବିଧାୟକଙ୍କୁ ଦେଖିବାକୁ ମିଳେ। ଦୈନଦିନ ପ୍ରାୟ୧ହଜାର ଲୋକଙ୍କ ସମସ୍ୟାର ସମାଧାନ କରୁଥିବା ବିଧାୟକ ଶ୍ରୀ ପ୍ରଧାନ ପଞ୍ଚାୟତ ସ୍ତରରେ ରାଜନୈତିକ ମଙ୍ଗକୁ ସମ୍ଭାଳିବାରେ ଟିକେ ପଛରେ ପଡିଥିବା ଦେଖାଯାଇଛି।
ଆମଦାନୀ ହୋଇ ଆସିଥିବା ଗ୍ରାମାଞ୍ଚଳ ନେତାଙ୍କୁ ପ୍ରାଥମିକତା ଦିଆଯାଉଥିବା ଅଭିଯୋଗ ଆଣୁଛନ୍ତି ପୁରୁଣା ଭାଜପା କର୍ମୀ। ସେମାନଙ୍କ କହିବା କଥା ଆମେ ଦୀର୍ଘବର୍ଷ ହେବ ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟ କରି ଅନେକ ବାଧାବିଘ୍ନ ସହି ରହିଛନ୍ତି। କିନ୍ତୁ ଆଜି ଦଳ ବିଜୟୀ ହେବା ପରେ ସେମାନଙ୍କ ଭୂମିକା ଏବଂ ବଳିଦାନକୁ ସତେ ଯେମିତି ନେତା ମାନେ ପାଶୋରି ଦେଇଛନ୍ତି। ଅନ୍ୟପକ୍ଷେ ପ୍ରତି ପଂଚାୟତରୁ ନୁଆଁ କର୍ମୀ ମାନଙ୍କ ଭିଡ଼ ବିଧାୟକଙ୍କ ପାଖରେ ଦେଖିବାକୁ ମିଳୁଛି। ଏପରିକି ସାଧାରଣ ଲୋକ ଏବଂ ତାଙ୍କ ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ଏହି ନୁଆଁ କର୍ମୀ ମାନେ ପାଚେରୀ ସାଜୁଥିବା ଅଭିଯୋଗ ହୁଏ। ସାଧାରଣ ଲୋକଟିଏ ସିଧାସଳଖ ନେତାଙ୍କ ପାଖରେ ପହଞ୍ଚିବା ଏବେ ସ୍ୱପ୍ନ ପାଲଟିଲାଣି।
ଉନ୍ନୟନ କାର୍ଯ୍ୟ ଗୁଡିକର ଠିକାଦାରୀ କରିବା ପାଇଁ ଏବେ ଏହି କୁଜିନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି। ଗ୍ରାମାଞ୍ଚଳର ରାଜନୀତି କେବଳ ଠିକାଦାରୀରେ ସୀମିତ ହୋଇରହିଛି। ପ୍ରତିଦିନ ଏହି ଠିକାଦାରୀକୁ ନେଇ ଗାଁରେ ମହାଭାରତ ସୃଷ୍ଟି ହେଉଛି। ବିଜେପି ଗୋଷ୍ଠୀକୁ ବିରୋଧ କରିବାକୁ ବିରୋଧୀ ବିଜେଡି ନୁହଁ ବରଂ ବିଜେପିର ଅସନ୍ତୁଷ୍ଟ ଗୋଷ୍ଠୀ ମୁଖ୍ୟ ବିରୋଧୀ ଭାବେ ଛିଡା ହୋଇଛନ୍ତି। ନିର୍ବାଚନ ଜିତିବା ଦିନରୁ ପ୍ରତି ମାସକୁ ଥରେ ଲେଖାଏଁ ପ୍ରତି ପଞ୍ଚାୟତକୁ ନେଇ ବୈଠକ ବସୁଥିବା ବେଳେ ସମସ୍ୟାର ସମାଧାନ ହେଉନାହିଁ। ବରଂ ଚାଖଣ୍ଡେ ସିଇଁଲେ ହାତେ ଫାଟି ଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।