ମୁଖ୍ୟ ଖବର

ଛାୟା ବିଧାୟକଙ୍କୁ ନେଇ ଦ୍ଵନ୍ଦରେ ଜନତା…

By Angul TV Bureau

August 11, 2025

ଅନୁଗୁଳ: ଅନୁଗୁଳ ଜିଲାରେ ଗତ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାର୍ଟି  ତିନୋଟି ବିଧାନସଭା ଆସନରେ ବିଜୟୀ ହୋଇଛି। ଉଭୟ ରାଜ୍ୟ ଓ କେନ୍ଦ୍ରରେ ଭାଜପା ସରକାର ଡବଲ ଇଞ୍ଜିନର ଡବଲ ବିକାଶ ନାରା ଦେଉଛନ୍ତି। ଏହାର ମଧ୍ୟରେ ଅନୁଗୁଳ ଜିଲାର ଏକ ନିର୍ବାଚନ ମଣ୍ଡଳୀରେ ଡବଲ ଇଞ୍ଜିନର ଡବଲ ଫାଇଦା ଦେଖିବାକୁ ମିଳିଛି। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଯେପରି ବିଧାୟକଙ୍କ ମନରେ ଏକ ବ୍ରତ ଭଳି ବସିଯାଇଛି। ଏଠାରେ ଜଣେ ବିଧାୟକ ନୁହଁ ବରଂ ଡବଲ ଇଞ୍ଜିନରେ “ଡବଲ ବିଧାୟକ” କାର୍ଯ୍ୟ କରୁଥିବା ଦେଖାଯାଇଛି। ଏହି ବିଧାନସଭା କ୍ଷେତ୍ରରେ ବର୍ତ୍ତମାନ ଜଣେ ବିଧାୟକଙ୍କ ବଦଳରେ ଦୁଇଜଣ ବିଧାୟକ ବୁଲୁଥିବା ଦେଖିବାକୁ ମିଳୁଛି। ସଭା ସମିତି ଠାରୁ ଆରମ୍ଭ କରି ଭିତ୍ତି ପ୍ରସ୍ତର ସ୍ଥାପନ ସବୁ ସ୍ଥାନରେ ଡବଲ ଇଞ୍ଜିନର ଡବଲ ଧମକା ଦେଖିବାକୁ ମିଳୁଛି। ଏହି ଛାୟା ବିଧାୟକ ନିଜକୁ ଏପରି ଭାବେ ଉପସ୍ଥାପନ କରୁଛନ୍ତି। ଯେପରି ସାଧାରଣ ଲୋକଟିଏ ଅସଲ ବିଧାୟକ କିଏ ଚିହ୍ନିବା ମୁସ୍କିଲ ହୋଇ ପଡିଛି।

ରୂପରଙ୍ଗରେ ସମାନ, କୁର୍ତ୍ତା ପାଇଜାମା ମଧ୍ୟ ସମାନ, ଚଢୁଥିବା ଗାଡ଼ିରେ ମଧ୍ୟ ନିର୍ବାଚନ ମଣ୍ଡଳୀ ସହ ବିଧାୟକ ଲେଖା ହୋଇଛି। ଗୋଟିଏ ସମୟରେ  ବିଭିନ୍ନ ସ୍ଥାନରେ  ବିଧାୟକ ଯୋଗଦେଇ ଭିତ୍ତି ପ୍ରସ୍ତର ସ୍ଥାପନ, ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ, ଏପରିକି ସଭାସମିତିରେ ଯେଉଁଠାରେ ବିଧାୟକ ବସିବା କଥା ସେଠାରେ ଛାୟା ବିଧାୟକ ବସୁଥିବା ଦେଖିବାକୁ ମିଳୁଛି। ଲୋକେ ଦୁଇ ଦୁଇ ଜଣ ବିଧାୟକଙ୍କୁ ଦେଖି ଏବେ କାବା ହୋଇ ଯାଇଛନ୍ତି। ଅସଲ ବିଧାୟକ କିଏ ନକଲି କିଏ ଦ୍ଵନ୍ଦ ବଢାଇଛି। ଆଉ କେଉଁ କ୍ଷେତ୍ରରେ କାମ କରୁ ନକରୁ କିନ୍ତୁ ମୋଦିଙ୍କ ଡବଲ ଇଞ୍ଜିନ ସରକାରରେ ଗୋଟିଏ ବିଧାନସଭା ମଣ୍ଡଳୀରେ ଡବଲ ବିଧାୟକ ଦେଖିବାକୁ ମିଳୁଛି।