ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଦ୍ୱିତୀୟ ଗେଟ ରବିବାର ଦିନ ୧୧ ଟାରେ ଖୋଲାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଣୁ ୫ ତାରିଖରେ ଗୋଟିଏ ଗେଟ ଖୋଲା ଯାଇଥିବା ବେଳେ ଆଜି ଦ୍ୱିତୀୟ ଗେଟ ଖୋଲାଯାଇଛି।
ରେଙ୍ଗାଳି ଡ୍ୟାମ ଜଳଭଣ୍ଡାରର ପୂର୍ଣ୍ଣ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ଆଜି ଦିନ ୯ ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୨୧.୧୫ ମିଟରରେ ପହଞ୍ଚିଥିଲା। ଫଳରେ ଦିନ ୧୧.୨୦ ମିନିଟରେ ଡ୍ୟାମ୍ କର୍ତ୍ତୃପକ୍ଷ ଡ୍ୟାମର ଦ୍ୱିତୀୟ ଗେଟ (ଗେଟ୍ ନଂ-୯)କୁ ଖୋଲି ବନ୍ୟା ଜଳ ନିଷ୍କାସନ କରିଥିଲେ।
ଆଜି ଅପରାହ୍ନ ୪ଟା ସୁଦ୍ଧା ରେଙ୍ଗାଳି ଡ୍ୟାମ ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୨୧.୧୭ ମିଟର ରହିଛି।ବପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୨୮୬୦.୩୫ ଘନ ମିଟର ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଖୋଲା ଯାଇଥିବା ଦୁଇଟି ଗେଟ ଓ ପାୱାର ଚ୍ୟାନେଲ ମାଧ୍ୟମରେ ମୋଟ ୩୧୬୨.୮୬ ଘନ ମିଟର ବନ୍ୟା ଜଳ ନିଷ୍କାସିତ ହେଉଛି। ଏଣୁ ପ୍ରତି ଘଣ୍ଟାରେ ୨୪୩.୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିବା ଜଣାଯାଇଛି।