ଘଟଣା ଓ ଦୁର୍ଘଟଣା

ବୃଦ୍ଧଙ୍କୁ ଧକ୍କା ଦେଇ ୨୦୦ ମିଟର ଘୋଷାଡ଼ି ନେଲା ବୋଲେରୋ, ଘଟଣାସ୍ଥଳରେ ମୃତ୍ୟୁ; ରାସ୍ତା ରୋକ କଲେ ସ୍ଥାନୀୟ ଲୋକ

By Angul TV Bureau

February 09, 2025

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶାବଳଭଙ୍ଗା ଠାରେ ଏକ ବୋଲେରୋ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସଡ଼କସାହିର ବାସିନ୍ଦା ଅଥାନି ପରିଡା(୬୫)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବନ୍ତଳା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ ରବିବାର ଅପରାହ୍ନରେ ଅଥାନି ପରିଡ଼ା ଘର ଠାରୁ ୨୦୦ ମିଟର ଦୂରରେ ଛିଡ଼ା ହୋଇଥିଲେ। ଅନୁଗୁଳ ଆଡୁ ବନ୍ତଳା ଆସୁଥିବା ଏକ ନମ୍ବର ବିହୀନ ବୋଲେରୋ ଅଥାନିଙ୍କୁ ଧକ୍କା ଦେଇ ଘୋଷାଡି ନେଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ବୋଲେରୋ ଖୋଜୁଥିବା ଜଣାଯାଇଛି।