କଳା ଓ ସଂସ୍କୃତି

ଶୈଳଶ୍ରୀ କ୍ଷେତ୍ରରେ ଘୋଷଯାତ୍ରା: ରଥରେ ବସି ଜନ୍ମବେଦୀକୁ ଗଲେ ଚତୁର୍ଦ୍ଧାମୂର୍ତ୍ତି, ୫୦ ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ

By Biswaranjan Pattnaik

June 27, 2025

ଅନୁଗୁଳ: ଆଜି ଶୈଳ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଗୁଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି।

ଏ ଅବସରରେ ବଡି ଭୋରରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ସେନାପଟା ଲାଗି, ଅବକାଶ ନୀତି, ରୋଷ ହୋମ ସରିଥିଲା। ପରେ ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ବେଶ ଲାଗି, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା, ଗରୁଡ଼ ପୂଜା, ବାଳ ଧୂପ ଆଦି ଅନୁଷ୍ଠିତ ହୋଇଥିଲା। ସାଢ଼େ ସାତଟା ସମୟରେ ରଥ ପ୍ରତିଷ୍ଠା ଚାରମାଳ ଲାଗି ହୋଇଥିଲା। ୮ ଟାରେ ଶ୍ରୀଜିଉଙ୍କ ମଙ୍ଗଳାର୍ପଣ ନୀତି ପରେ ୯ଟା ସମୟରେ ପହଣ୍ଡି ବିଧି ଆରମ୍ଭ ହୋଇଥିଲା।

ସେବାୟତ ଓ ଭକ୍ତ ମାନେ ଶ୍ରୀଜିଉଙ୍କୁ ରଥାରୂଢ଼ କରାଇଥିଲେ। ମହାପ୍ରଭୁ ଟାହିଆ ହଲାଇ ହଲାଇ ରଥକୁ ବିଜେ କରିଥିଲେ। ୧୧ ଟାରେ ମଦନମୋହନ ରଥକୁ ବିଜେ କରିଥିଲେ। ଅପରାହ୍ନ ୧୨ ଟାରେ ଛେରା ପହଁରା ଆରମ୍ଭ ହୋଇଥିଲା। ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ଛେରା ପହଁରା କାର୍ଯ୍ୟ ତୁଲାଇଥିଲେ। ଏହାପରେ ଚାରମାଳ ଫିଟାଯାଇ ସାରଥୀ ଯୋଚା ଯାଇଥିଲା। ଅପରାହ୍ନ ୩ ଟାରେ ରଥ ଟଣା ଆରମ୍ଭ ହୋଇଥିଲା।

ହଜାର ହଜାର ଭକ୍ତ ରଥଗୁଡ଼ିକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ। ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପାଦିତ କରାଯାଇଥିଲା।