ମୁଖ୍ୟ ଖବର

ଅନୁଗୁଳରେ ପୁଣି ଦନ୍ତାର ମୃତ ଦେହ ଠାବ, ଶିକାର ପାଇଁ ବସାଇଥିବା ବାରୁଦ ଗୋଳା ଖାଇ ଗଜରାଜର ମୃତ୍ୟୁ ସନ୍ଦେହ

By Angul TV Bureau

April 06, 2025

ଅନୁଗୁଳ: ପୁଣି ଅନୁଗୁଳରେ ହାତୀର ମୃତ ଦେହ ଠାବ। ରବିବାର ବଲଙ୍ଗ ଗାଁ ନିକଟରେ ପୁଣି ଏକ ଦନ୍ତା ହାତୀର ମୃତ ଦେହ ଉଦ୍ଧାର ହୋଇଛି। ଖବର ପାଇ ବନ ବିଭାଗ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ତେବେ ବାରୁଦ ଗୋଳା ଖାଇ ଏହି ହାତୀର ଜୀବନ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ଶିକାରୀ ଗୁଳିରେ ଯାଉଛି ଗଜରାଜଙ୍କ ପ୍ରାଣ। ଅନୁଗୁଳରେ ବଢ଼ୁଛି ହାତୀ ମୃତ୍ୟୁ ହାର। ପ୍ରାକୃତିକ ଭାବେ ନୁହେଁ ବରଂ ଶିକାରୀ ଗୁଳିରେ ଟଳିପଡ଼ୁଛନ୍ତି ଗଜରାଜ। ଅନୁଗୁଳ ଓ ସାତକୋଶିଆ ବନଖଣ୍ଡରେ ଏବେ ଚିନ୍ତା ବଢ଼ାଇଛି ହାତୀମୃତ୍ୟୁ ସଂଖ୍ୟା। ସାତକୋଶିଆ, ଅନୁଗୁଳ, ଆଠଗଡ଼, ଢେଙ୍କାନାଳ, ନରସିଂହପୁର ଆଦି ଜଙ୍ଗଲ ପରସ୍ପର ସହ ଲାଗି ରହିଛି। ଅନେକ ସମୟରେ ହାତୀ ଗୋଟିଏ ବନଖଣ୍ଡରୁ ଗୁଳିବିଦ୍ଧ ହୋଇ ଅନ୍ୟ ବନଖଣ୍ଡ ଅଞ୍ଚଳକୁ ପଳାଇ ଆସିଥାଏ। ଏଠାରେ ବନ ବିଭାଗ ତାକୁ ଦେଖିବା ପରେ ଚିକିତ୍ସା କରିଥାଏ ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିବା ପରେ ଅକାରଣରେ ଅପବାଦ ମୁଣ୍ଡାଇଥାଏ।

ପୂର୍ବରୁ ଜଙ୍ଗଲ ପାଖ ଗାଁ ଗୁଡିକରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ କିଛି ଅସାଧୁ ବ୍ୟକ୍ତି ବାରୁଦ ଗୋଳାକୁ ପଚା ମାଂସ ମଧ୍ୟରେ ଗୁଡ଼ାଇ ଗାଁ ପାଖ ଜଙ୍ଗଲରେ ବସାଇଥାନ୍ତି। ଏହାର ବାସ୍ନାରେ ବାରହା ଆସି ମାଂସ ଖାଇବା ବେଳେ ବାରୁଦ ଗୁଳା ବିସ୍ଫୋରଣ ହୋଇଥାଏ। ଏହି ବାର୍‌ହା ମାଂସ ବିକ୍ରି କରି ଅସାଧୁ ବ୍ୟକ୍ତି ମାନେ ଟଙ୍କା ରୋଜଗାର କରିଥାନ୍ତି। କିନ୍ତୁ ଗତ କିଛି ଦିନ ହେବ ବାରୁଦ ଗୋଳା ଖାଇ ହାତୀଙ୍କ ପ୍ରାଣ ଯାଉଥିବା ନଜିର ରହିଛି। କିନ୍ତୁ ବନ ବିଭାଗ ଏହି ଅପରାଧର ମୂଳ ପର୍ଯ୍ୟନ୍ତ ନଯାଇ ହାତୀ ଅସୁସ୍ଥ ଥିବା କାରଣ ଦର୍ଶାଇ ଫାଇଲ ବନ୍ଦ କରିଦେଉଛି। ଏଣୁ ବନ ବିଭାଗ ସଠିକ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାକୁ ଦାବି ହୋଇଛି।