ଅନ୍ୟାନ୍ୟ

ଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦ ସହ ଅନ୍ୟାନ୍ୟ ଦାବି: ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ନିରୀକ୍ଷକଙ୍କୁ ଦାବିପତ୍ର

By Angul TV Bureau

April 20, 2025

ଅନୁଗୁଳ: ସାରା ଓଡ଼ିଶା ପ୍ରତିବାଦ ଦିବସ ଉପଲକ୍ଷେ ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଆହ୍ଵାନରେ ସମସ୍ତ ଟ୍ରେନ୍ ଗୁଡ଼ିକର ଅହେତୁକ ବିଳମ୍ବ ପ୍ରତିବାଦରେ ଶନିବାର ସଂଗଠନର ଜିଲ୍ଲା କମିଟି ଉଦ୍ୟୋଗରେ ରାଣୀଗୋଡ଼ା ଛକ ଠାରୁ ଅନୁଗୁଳ ରେଳ ଷ୍ଟେସନ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବା ସହ ଷ୍ଟେସନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ, ଜିଲ୍ଲା କମିଟି ସଭ୍ୟ ସୁବାସ ପ୍ରଧାନ, ସଞ୍ଜୟ ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ। ନିର୍ଦ୍ଧାରିତ ସମୟରେ ସମସ୍ତ ଟ୍ରେନ୍ ଚଳାଚଳ କରିବା, ପ୍ରତିଦିନ ସକାଳ ସମୟରେ ରେଢ଼ାଖୋଲରୁ କଟକ ଦେଇ ପୁରୀ ପର୍ଯ୍ୟନ୍ତ ଏକ ନୂତନ ମେମୁ ପାସେଞ୍ଜର ଟ୍ରେନ୍ ଚାଲୁ କରିବା, ଅନୁଗୁଳ ଷ୍ଟେସନର ଉନ୍ନତିକରଣ କରିବା, ଅଲେଖପାଟଣା ଛକ (କୁମଣ୍ଡ) ଠାରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ଏବଂ ଆଲୋକୀକରଣର ସୁବ୍ୟବସ୍ଥା କରିବା, ସମସ୍ତ ଟ୍ରେନରେ ପାନୀୟଜଳ ଓ ଟଏଲେଟ୍ ଗୁଡିକୁ ସଫେଇର ସୁବ୍ୟବସ୍ଥା ଓ ଅଣସଂରକ୍ଷିତ ବଗି ସଂଖ୍ୟା ବୃଦ୍ଧି କରିବା, ବରିଷ୍ଠ ନାଗରିକଙ୍କ ପାଇଁ ରିହାତି ମୂଲ୍ୟରେ ଟ୍ରେନ୍ ଟିକେଟ୍ ଦେବା, ରେଳସେବାର ଘରୋଇକରଣ ବନ୍ଦ କରିବା ଆଦି ଦାବି କରାଯାଇଥିଲା ।

ଏକ ପ୍ରତିନିଧି ମଣ୍ଡଳୀରେ ସୁବାସ ପ୍ରଧାନ, ନିରୋଦ ପାଳ, ହେମନ୍ତ ଦାସ, ବେଣୁଧର ପ୍ରଧାନ, ବଳରାମ ନାୟକ, ଜେନାମଣି ରାଉତ, ବିଷ୍ଣୁ ସାହୁ, ଜ୍ୟୋତ୍ସ୍ନା ସାମଲ, ନିରଞ୍ଜନ ନାୟକ, ସରୋଜିନୀ ବେହେରା, ନାରାୟଣ ନାୟକ, ମଳୟ ବେହେରା ପ୍ରମୁଖ ଯାଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଷ୍ଟେସନ ନିରୀକ୍ଷକଙ୍କୁ ପ୍ରଦାନ କରିବା ପରେ ବିକ୍ଷୋଭ ଶେଷ ହୋଇଥିଲା।