ମୁଖ୍ୟ ଖବର

ଅନୁଗୁଳରେ ସ୍ୱାୟତ୍ତ ଶାସନ ଦିବସ:ଡ଼ା ଦୀପକ ଗଡ଼ନାୟକ,ବଣିକ ସଂଘ ସମେତ ୫ ଜଣ ସମ୍ବର୍ଦ୍ଧିତ

By Biswaranjan Pattnaik

September 01, 2025

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଅନୁଗୁଳ ସହରକୁ ସବୁଜ ସୁନ୍ଦର ସହିତ ସମୃଦ୍ଧ କରିବାପାଇଁ ଜନସାଧାରଣଙ୍କ ସହଯୋଗ ନିହାତି ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ଉନ୍ନତ ଭିତ୍ତିଭୂମି ପ୍ରତିଷ୍ଠା,ମହିଳା ମାନଙ୍କୁ ସଶକ୍ତିକରଣ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ତାଲିମ ପ୍ରଦାନକୁ ଡବଲ ଇଞ୍ଜିନ ସରକାର ବିଶେଷ ଗୁରୁତ୍ବ ଦେଉଛନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ସମାରୋହରେ ଅନ୍ୟତମ ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଅନୁଗୁଳ ପୌରପାଳିକାର ବିକାଶ ଏବଂ ସୋନ୍ଦର୍ଯ୍ୟକରଣ ପାଇଁ ସବୁ ପ୍ରକାର ଉଦ୍ୟମ କରାଯିବ ବୋଲି କହିଥିଲେ। ଉପ ଆରକ୍ଷୀ ଅଧିକ୍ଷକ ବିରଞ୍ଚି ବାଗ ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିଲେ।

ନଗରପାଳ ଅକ୍ଷୟ ସାମନ୍ତ ସହରର ସବୁଜିମା ବୃଦ୍ଧି ପାଇଁ ବ୍ୟାପକ ବୃକ୍ଷ ରୋପଣ , ମଶା ନିରାକରଣ ଓ ପଲିଥିନ୍ ବ୍ୟବହାର ଉପରେ କଟକଣା କରାଯାଇଛି ବୋଲି କହିଥିଲେ। ସଭାରେ ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ଦିନରେ ଭେଣ୍ଡିଙ୍ଗ ଜୋନ ମାଧ୍ୟମରେ ଉଠା ଦୋକାନୀଙ୍କୁ ଥଇଥାନ, ଡେଲି ମାର୍କେଟର ଆଧୁନିକୀକରଣ,ସହର ମଧ୍ୟରେ ବାଇପାସ୍ ରାସ୍ତା ନିର୍ମାଣ ଆଦି ଲକ୍ଷ୍ୟ ରହିଥିବା ପ୍ରକାଶ କରିଥିଲେ।

ସମାରୋହରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉଲ୍ଲେଖନୀୟ ସେବା ପ୍ରଦାନ ପାଇଁ ଡ଼ା ଦୀପକ ଗଡ଼ନାୟକ,ନର୍ସିଂ ଅଫିସର ମଞ୍ଜୁଳାପ୍ରଭା ଶତପଥୀ, ଡ୍ରେସର୍ ସାଗର ମୁଖୀ, ଟାଇକୁଣ୍ଡୁ ଖେଳରେ ବିଶେଷ ସଫଳତା ପାଇଁ ଶ୍ରେୟାଂଶ ସାହୁ ଏବଂ ଅନୁଗୁଳ ର ବ୍ୟବସାୟୀ ମାନଙ୍କ ଉନ୍ନତି ପାଇଁ ବିଶେଷ ଯୋଗଦାନ ହେତୁ ଅନୁଗୁଳ ବଣିକ ସଂଘକୁ ମୁଖ୍ୟ ଅତିଥି ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସକାଳ ବେଳା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ,ପୋଷାକ ବଣ୍ଟନ,ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଣ୍ଟନ,ବୃକ୍ଷରୋପଣ,ବିଭିନ୍ନ ସ୍ଥାନରେ ପଥପାର୍ଶ୍ଵ ଆଲୋକିକରଣ ବ୍ୟବସ୍ଥାର ଉଦ୍ଘାଟନ,ଏମଆରଏଫ୍ ବ୍ୟବସ୍ଥାର ଶିଳାନ୍ୟାସ ଆଦି କରାଯାଇଥିଲା। ସମାରୋହ ଗୁଡିକରେ ଉପାଧ୍ୟକ୍ଷା ଅନୁପମା ସାହୁଙ୍କ ସମେତ ସମସ୍ତ କାଉନସିଲର ଓ ଅଫିସ କର୍ମଚାରୀ ଯୋଗ ଦେଇଥିଲେ। ଶେଷରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ । ସ୍ୱରାଣି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।