ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳରେ କିଛି ଦିନ ହେବ ଛିନତାଇ କରୁଥିବା ୩ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ସୁନାଗହଣା, ନଗଦ ଟଙ୍କା, ବାଇକ ଓ ମୋବାଇଲ ଫୋନ ସମେତ ଆହୁରି ଅନେକ ସାମଗ୍ରୀ ଜବତ ହୋଇଛି।
ସୂଚନା ମୁତାବକ, ଅନୁଗୁଳ ସହରରେ କିଛି ଦୁର୍ବୃତ୍ତ ଗତ କିଛି ଦିନ ହେବ ମହିଳାଙ୍କ ବେକରୁ ସୁନା ଗହଣା ଛିଣ୍ଡାଇ ନେଇ ଫେରାର ହୋଇଯାଉଥିଲେ। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ଅନୁଗୁଳ ଏସପି ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇ ଲୁଟେରାଙ୍କୁ ଖୋଜୁଥିଲା। ଅନୁଗୁଳ ଏସଡିପିଓ ରମାକାନ୍ତ ମହାଳିକ, ଆଇଆଇସି ଧୀରେସ କୁମାର ଦାସଙ୍କ ନେତୃତ୍ୱରେ ଏହି ଟିମ୍ ଚଢ଼ଉ କରି ଗଞ୍ଜାମ ଜିଲ୍ଲାର ଝାଗଡେଇ ଗ୍ରାମର ଗଣେଶ ଦାସ, ଏ ଅର୍ଜୁନ ଏବଂ ଏ ତାରିଣୀ ଆଚାର୍ଯ୍ୟଙ୍କୁ ଗିରଫ କରିଛି।ସେମାନଙ୍କ ପାଖରୁ ଗୋଟିଏ ବାଇକ, ସୁନା ଚେନ, ସୁନା ଲକେଟ, ସୁନା ଝରା, ସୁନା ଅଳଙ୍କାର କାଟିବା ମେସିନ, ଓଜନ ମାପ ଯନ୍ତ୍ର, ତିନୋଟି ମୋବାଇଲ, ଗ୍ୟାସ ସିଲିଣ୍ଡର ସମେତ ନଗଦ ୮୨୦୦ଟଙ୍କା ଜବତ ହୋଇଥିବା ନେଇ ଅନୁଗୁଳ ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।