ମୁଖ୍ୟ ଖବର

ଦିନ ଦ୍ଵିପ୍ରହରରେ ଯୁବକଙ୍କୁ ଛୁରାମାଡ଼, ଜନ୍ମ ଦିନ ପାଳନ ବେଳେ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ

By Angul TV Bureau

January 27, 2025

ଅନୁଗୁଳ: ଅନୁଗୁଳ ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଦୁର୍ବୃତ୍ତ। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁର ପାର୍ଥସାରଥୀ ପ୍ରଧାନ(୨୫)।  

ସୂଚନା ମୁତାବକ, ପାର୍ଥସାରଥୀ ସୋମବାର ସକାଳେ ମୈତ୍ରୀ ନଗର ଅଞ୍ଚଳର ଏକ ଜିମ ସେଣ୍ଟରରୁ ଫେରୁଥିଲେ। ଅମଲାପଡା ଗାନ୍ଧିମାର୍ଗ ହନୁମାନ ମନ୍ଦିର ନିକଟରେ ସେ ଅଟକିଥିବା ବେଳେ କିଛି ଯୁବକ ବାଇକ ଯୋଗେ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ଚାଲିଥିଲେ। ଆଉ ରକ୍ତାକ୍ତ କରି ପଳାଇଥିଲେ। ସ୍ଥାନୀୟ ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାର୍ଥକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ତାଙ୍କ ଛାତି, ହାତ, ପିଠିରେ ଗଭୀର କ୍ଷତ ହୋଇଛି। ତେବେ ପୂର୍ବ ଶତ୍ରୁତାରୁ ଏହି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି।

ସାଙ୍ଗଙ୍କ କହିବାନୁସାରେ, ପାର୍ଥ ଗତ ୨୫ ତାରିଖ ଦିନ ନିଜ ଜନ୍ମଦିନ ପାଳନ କରିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଅନେକ ସଂଖ୍ୟାରେ ଯୁବକଙ୍କୁ ଡକାଇଥିଲେ। ଜନ୍ମଦିନ ପାଳନ ସମୟରେ ଆସିଥିବା କିଛି ଯୁବକଙ୍କ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା। ଏହିଠାରୁ ହିଁ ପୂରା ଘଟଣା ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଅନୁଗୁଳ ଟାଉନ ଥାନା ପୋଲିସ ପହଞ୍ଚି ଏ ନେଇ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାଯାଇଛି।