ମୁଖ୍ୟ ଖବର

ଅନୁଗୁଳ ଟାଉନ ପୁଲିସର ଚଢ଼ାଉ: ଦୁଇ ଚୋରା ବନ୍ଧୁକ ଜବତ,୩ ଗିରଫ

By Angul TV Bureau

May 28, 2025

ଅନୁଗୁଳ:

ଆଉ ଗାଁ ଗହଳିରେ ଦେଶୀ ବନ୍ଧୁକ କାରବାର ସୀମିତ ହୋଇ ରହିନି। ସହରକୁ ବି ମାଡ଼ିଲାଣି ଏହାର ଚେର। ହୁଲୁରିସିଂହାରୁ ଏକ ଦେଶୀ ବନ୍ଧୁକ ମିଳିବା ପରେ ଏହା ସ୍ପଷ୍ଟ ହୋଇଯାଇଛି। ଏପଟେ ଅନୁଗୁଳ ଥାନା ପୁଲିସ ଚୋରା ବନ୍ଧୁକ କାରବାରରେ ଦୁଇଟି ଭିନ୍ନ ମାମଲା ରୁଜୁ କରି ୨ଟି ବନ୍ଧୁକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ହୁଲୁରିସିଂହାରେ ଜଣେ ଲୋକ ବନ୍ଧୁକ ଧରି ବୁଲୁଥିବା ଖବରପାଇ ଅନୁଗୁଳ ପୁଲିସ ମଙ୍ଗଳବାର ଭୋର୍‌ ସମୟରେ ଚଢ଼ଉ କରିଥିଲା। ସେଠାରେ ପୁଲିସ ପହଞ୍ଚିଲା ବେଳକୁ ଜଣେ ଯୁବକ ଦୌଡ଼ି ପଳାଇବାକୁ ଚେଷ୍ଟା କରିବା ସମୟରେ ପୁଲିସ ତାକୁ ଗୋଡ଼ାଇ ଧରିଥିଲା। ପୁଲିସ ତାକୁ ପଚରାଉଚରା କରିବା ସହ ଯାଞ୍ଚ କରିବାରୁ ତା’ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ମିଳିଥିଲା। ଏହି ବନ୍ଧୁକର କାଗଜପତ୍ର କିମ୍ବା ଲାଇସେନ୍ସ ତା’ ପାଖରେ ନ ଥିଲା। ପରେ ପୁଲିସ ତାକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଜରାପଡ଼ା ଥାନା ତୁବେ ଗାଁର ପିଣ୍ଟୁ ଜେନା(୩୭)। ସେ ହୁଲୁରିସିଂହାରେ ରହୁଛି। ପୁଲିସ ତା’ ପାଖରୁ ବନ୍ଧୁକ ଜବତ କରିବା ସହ ଆଜି କୋର୍ଟ ଚାଲାଣ କରିଛି।

ସେହିପରି ସହର ଉପକଣ୍ଠ ହାଟଛକରେ ନାକା ଲଗାଇ ପୁଲିସ ଚେକିଂ କରୁଥିବା ବେଳେ ପାଇଛି ଏକ ଦେଶୀ ବନ୍ଧୁକ। ଏହି ମାମଲାରେ ପୁଲିସ ବନ୍ଧୁକ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଅନୁଗୁଳ ଥାନା ପୁଲିସ ହାଟଛକରେ ୨୬ ତାରିଖ ରାତିରେ ନାକା ଲଗାଇ ଗାଡ଼ିମଟର ଯାଞ୍ଚ କରୁଥିଲା ବେଳେ ବଅଁରପାଳ ଥାନା ପନ୍ଦରଭଣିଆ ଗାଁର ସୁବ୍ରତ ଭୁତିଆ(୩୦)ଙ୍କୁ ସନ୍ଦେହରେ ଅଟକାଇଥିଲା। ତାଙ୍କୁ ପଚରାଚରା ସମୟରେ ସେ ସନ୍ଦେହଜନକ କଥାବର୍ତ୍ତା କରିବାରୁ ତାଙ୍କୁ ପୁଲିସ ଯାଞ୍ଚ କରିଥିଲା। ତାଙ୍କ ପାଖରୁ ଏକ ଛୁରି ମିଳିବା ପରେ ପୁଲିସ ଅଧିକ ପଚରାଉଚରା କରିଥିଲା। ପରେ ସେ ମାନିଥିଲେ ଯେ, ଢେଙ୍କାନାଳରେ ଏକ ଦେଶୀ ବନ୍ଧୁକ ଦେବା ପାଇଁ ସେ ଯାଇ ଫେରୁଛନ୍ତି। ପରେ ପୁଲିସ ଟିମ୍‌ ମୋଟଙ୍ଗା ଥାନ‌ା ବ୍ରହ୍ମପୁର ଗାଁର ରାଜେଶ ପ୍ରଧାନ(୨୬)ଙ୍କ ଘରେ ଚଢ଼ାଉ କରି ଏହି ବନ୍ଧୁକ ଜବତ କରିଥିଲା। ଏହି ବନ୍ଧୁକ ସଂପର୍କିତ କୌଣସି କାଗଜପତ୍ର ସେ ଦେଖାଇ ନ ପାରିବାରୁ ଉଭୟଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।