ମୁଖ୍ୟ ଖବର

ହୃଦୟବିଦାରକ ଘଟଣା: ଦାଦା ଆକ୍ରମଣରେ ପୁତୁରାର ମୃତ୍ୟୁ

By Angul TV Bureau

September 28, 2025

ବନ୍ତଳା: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଡ଼କଞ୍ଜନୀ ଗାଁରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ  ଦାଦା ତାର ପୁତୁରାକୁ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ବଡ଼କଞ୍ଜନୀ ଗାଁର ବସନ୍ତ କମାର ଦାସ (ମାନସିକ ରୋଗୀ) ସବୁଦିନ ଗାଁ ଶ୍ମଶାନରେ ରହି ଆସୁଥିଲେ। ତାଙ୍କ ପରିବାର ସଦସ୍ୟମାନେ ନିୟମିତ ଭାବେ ତାଙ୍କୁ ଶ୍ମଶାନରେ ଖାଦ୍ୟ ପହଞ୍ଚାଇ ଆସୁଥିଲେ। ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ବସନ୍ତଙ୍କ ପୁତୁରା ସୁଦର୍ଶନ ଦାସ ଭାତ ଓ ମାଂସ ନେଇ ଶ୍ମଶାନକୁ ଯାଇଥିଲେ। କିନ୍ତୁ ରାତିରେ ସୁଦର୍ଶନ ଘରକୁ ଫେରି ନଥିଲେ।

ଶନିବାର ସକାଳେ ସୁଦର୍ଶନଙ୍କ ସ୍ତ୍ରୀ ଖୋଜାଖୋଜି କରିବାକୁ ଶ୍ମଶାନକୁ ଯାଇଥିବା ବେଳେ ସୁଦର୍ଶନଙ୍କ ମୃତଦେହ ଦେଖି ଆତଙ୍କିତ ହୋଇଥିଲେ। ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ ବସନ୍ତଙ୍କୁ ବାନ୍ଧି ରଖାଯାଇଥିଲା। ପଚରାଉଚରା ବେଳେ ବସନ୍ତ ସ୍ୱୀକାର କରିଥିଲେ ଯେ, ସେ ସୁଦର୍ଶନଙ୍କୁ ବାଉଁଶ ଠେଙ୍ଗାରେ ପିଟି ପିଟି ମାରିଦେଇଥିଲେ ଏବଂ ମୃତଦେହକୁ ପ୍ରାୟ ୨୦୦ ମିଟର ଦୂରକୁ ନେଇ ଫିଙ୍ଗି ଦେଇଥିଲେ।

ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଶୋକର ବାତାବରଣ ସୃଷ୍ଟି କରିଛି। ପୋଲିସ ଏହି ମାମଲାରେ ଅଧିକ ଅନୁସନ୍ଧାନ ଜାରି ରଖିଛି।