ଘଟଣା ଓ ଦୁର୍ଘଟଣା

କାନ୍ଥ ପଡ଼ି ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ

By Angul TV Bureau

February 25, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମରେ କାନ୍ଥ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ଖମାର ଥାନା ଅନ୍ତର୍ଗତ କଂସର ଗ୍ରାମର ମହେନ୍ଦ୍ର ଚାମ୍ପିଆ (୨୨)। ସେ କାନ୍ଥ ଖୋଳୁଥିବା ବେଳେ ତାଙ୍କ ଉପରେ ସମ୍ପୂର୍ଣ୍ଣ ପାଚେରୀ ଚାପି ହୋଇ ଯାଇଥିବା ଜଣାଯାଇଛି।

ସୂଚନା ମୁତାବକ, ସୋମବାର ସକାଳେ କଂସର ଗ୍ରାମରେ ତିନି ଜଣ ଶ୍ରମିକ ମିଶି କାନ୍ଥ ଖୋଳୁ ଥିଲେ। ଏହି ସମୟରେ ହଠାତ୍ କାନ୍ଥ ଶ୍ରମିକଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଦୁଇ ଜଣ ଶ୍ରମିକ ସୁରକ୍ଷିତ ସହ ବାହାରି ଯାଇଥିଲେ ମଧ୍ୟ ମହେନ୍ଦ୍ର ବାହାରି ପାରି ନଥିଲେ। ଗୁରୁତର ଅବସ୍ଥାରେ ମହେନ୍ଦ୍ରଙ୍କୁ ଖମାର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମହେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଇଛି। ଏଥିସହ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।