ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ମହୋତ୍ସବ ଉଦଘାଟିତ: ୮୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

By Biswaranjan Pattnaik

April 27, 2025

ଅନୁଗୁଳ: ଶନିବାର ସନ୍ଧ୍ୟାରେ ଅନୁଗୁଳ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଜିଲ୍ଲା ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇଛି। ଏ ଅବସରରେ ଶ୍ରୀ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ।

ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲାକୁ ରତ୍ନଗର୍ଭା ବୋଲି କହିବା ସହ ଏହାର ପ୍ରାକୃତିକ ସମ୍ବଳ, ସଂସ୍କୃତି, ପରମ୍ପରା, ଖଣିଜ ସମ୍ପଦ ଅତୁଳନୀୟ ବୋଲି କହିଥିଲେ। ଏଥିସହ ମାଳତୀ ଦେବୀ, ନବ ବାବୁ, ରାଜା ସୋମନାଥ ସିଂହ ଏବଂ ପବିତ୍ର ପ୍ରଧାନ କୃତି ଓ କୀର୍ତ୍ତି ଜିଲ୍ଲା ତଥା ସମାଜ ପାଇଁ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ।

ସମାରୋହରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ନିହତ ପର୍ଯ୍ୟଟକଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ପରେ କିଛି କର୍ତ୍ତବ୍ୟ ପରାୟଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ପକ୍ଷରୁ ନୃତ୍ୟ ନୀଳୟ ଓଡ଼ିଶୀ, ଆଦୃତା ଅନୁଷ୍ଠାନ ଲୋକ ନୃତ୍ୟ, ନ୍ୟୁ କ୍ରିଏସନ୍ ଏକାଡେମୀ, ଦଲ ଦଲି ଅନୁଷ୍ଠାନ ଆଦି ନୃତ୍ୟ ପରିବେଷଣ କରିଥିଲେ। ଏହାପରେ ସାୟଲି କାମ୍ୱଲେ, ସ୍ଵୟଂ ପାଢ଼ୀ, ନଚିକେତ ଲେଲେ ନିଜ ସଙ୍ଗୀତରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ପ୍ରଜ୍ଞା ଶଙ୍କରଙ୍କ ଯୋଡ଼ି କମେଡି କରି ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରିଥିଲେ।

କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି, ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।