ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ସଂଘର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଯୁବପିଢ଼ିଙ୍କୁ ‘ୱେଲଥ୍ କ୍ରିଏଟର’ ବା ସମ୍ପଦ ସୃଷ୍ଟିକାରୀ ଭାବେ ଗଢ଼ିତୋଳିବାକୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ସେ ନିଜ ପିତାଙ୍କ ସ୍ମୃତିରେ ‘ଡାକ୍ତର ଦେବେନ୍ଦ୍ର ପ୍ରଧାନ ବାଣିଜ୍ୟ ଭବନ’ର ଭୂମିପୂଜନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଅନୁଗୁଳ ହେଉଛି ଏକ ‘ଲଘୁ ଭାରତ’, ଯାହା ଦେଶର ଶିଳ୍ପ ଓ ରାଜସ୍ୱ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜିଲ୍ଲାରେ କେବଳ ଭାରୀ ଶିଳ୍ପ ନୁହେଁ, ବରଂ କୃଷି ଭିତ୍ତିକ ଶିଳ୍ପ ଏବଂ ପର୍ଯ୍ୟଟନର ବିକାଶ ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ୨୦୪୭ ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବାରେ ସମୃଦ୍ଧ ଅନୁଗୁଳ ଏକ ମୂଳଦୁଆ ସାଜିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ସମ୍ପଦ ଚରଣ ସ୍ୱାଇଁ ଏବଂ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରମୁଖ ଉପସ୍ଥିତ ଥିଲେ।