ଅନୁଗୁଳ: ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ଜାତୀୟ ସ୍ତରର ବଡିବିଲ୍ଡିଂ ପ୍ରତିଯୋଗିତାରେ ଓଡ଼ିଶା ତଥା ଅନୁଗୁଳ ଜିଲ୍ଲାର ଦୀପକ କୁମାର ସାହୁ ଚମତ୍କାର ପ୍ରଦର୍ଶନ କରି ଦ୍ୱୈତ ପଦକ ହାସଲ କରିଛନ୍ତି। ପିମ୍ପରି-ଚିଞ୍ଚୱାଡ୍ଠାରେ ଅନୁଷ୍ଠିତ ‘୬୬ତମ ଜୁନିୟର ଓ ସିନିୟର ଜାତୀୟ ବଡିବିଲ୍ଡିଂ ଚାମ୍ପିୟନସିପ୍-୨୦୨୬’ (ମେୟର୍ସ କପ୍) ରେ ସେ ଏହି ଗୌରବ ଆଣିଛନ୍ତି।
ଅନୁଗୁଳ ‘ମହାବୀର ଜିମ୍’ର ପ୍ରତିଭାବାନ ଛାତ୍ର ଦୀପକ ୮୫-୯୦ କିଲୋଗ୍ରାମ ବର୍ଗରେ ୫୦୦ରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ମେନ୍ସ କ୍ଲାସିକରେ ସ୍ୱର୍ଣ୍ଣ ଏବଂ ମେନ୍ସ ଫିଜିକରେ ରୌପ୍ୟ ପଦକ ଜିତିଛନ୍ତି। ଏହାସହ ଓପନ ବଡିବିଲ୍ଡିଂରେ ସେ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି।
ଏହି ସଫଳତା ପାଇଁ ଅନୁଗୁଳ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। କୋଚ୍ ଓ ପରିବାରର ସହଯୋଗକୁ ଶ୍ରେୟ ଦେବା ସହ ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଦୀପକ ପ୍ରକାଶ କରିଛନ୍ତି।