ମୁଖ୍ୟ ଖବର

ବିଶ୍ଵ ନୃତ୍ୟ ଦିବସ: ଅନୁଗୁଳର ଅନନ୍ୟ ପ୍ରତିଭା “ଆନିଶା”

By Biswaranjan Pattnaik

April 29, 2025

ଅନୁଗୁଳ: ମଞ୍ଚରେ ଯାହାର ନୂପୁର ନିକ୍ଵଣ, ନିଖୁଣ ନୃତ୍ୟର ଭାବଭଙ୍ଗୀ ଏବଂ ଲାସ୍ୟମୟ ମୁଦ୍ରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ ସେ ହେଲେ ଅନୁଗୁଳର ଅନନ୍ୟ ପ୍ରତିଭା ଆନିଶା ସିହ୍ନା। ପିଲାଟି ଦିନରୁ ଓଡ଼ିଶୀ ନୃତ୍ୟ ପ୍ରତି ଦୁର୍ବଳତା, ନିଷ୍ଠା ତାଙ୍କୁ ଆଜି ଭାରତ ବର୍ଷର ଜଣେ ଉଦୀୟମାନ ଓଡ଼ିଶୀ ନୃତ୍ୟାଙ୍ଗନାର ପରିଚୟ ଦେଇଛି।ଗୁରୁ ସ୍ଵପ୍ନାରାଣୀ ସିହ୍ନାଙ୍କ ଠାରୁ ତାଲିମ ନେଇ ତାଙ୍କ ସଫଳତାର ଯାତ୍ରା ଆଗକୁ ଆଗକୁ ବଢ଼ିଚାଲିଛି। ଆନିଶାଙ୍କ ଘର ଅନୁଗୁଳ ହେମସୁରପଡ଼ାରେ ।ଚଣ୍ଡିଗଡର ପ୍ରାଚୀନ କଳାକେନ୍ଦ୍ରରୁ ଓଡ଼ିଶୀ ନୃତ୍ୟରେ ବିଶାରଦ,ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ସାଂସ୍କୃତିକ ଶିକ୍ଷାରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ଚଣ୍ଡିଗଡ ବିଶ୍ଵବିଦ୍ୟାଳୟରୁ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ନୃତ୍ୟକଳା ଓ ମେଧାଶକ୍ତିର ଅପୂର୍ବ ସମନ୍ବୟ ଆନିଶାଙ୍କ ଠାରେ ଦେଖିବାକୁ ମିଳେ।ଭାରତ ବର୍ଷର ବିଭିନ୍ନ ରାଜ୍ୟ ଓ ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ମଧ୍ୟ ଓଡ଼ିଶୀ ପରିବେଷଣ କରି ସେ ଅନେକ ପ୍ରଶଂସା ସାଉଁଟିଛନ୍ତି।ଦିଲ୍ଲୀ ର ରାଜପଥରେ ଗଣତନ୍ତ୍ର ଦିବସ,ଗୁରୁ ପଙ୍କଜ ଉତ୍ସବ,କୋଣାର୍କ ଉତ୍ସବ,ଗୁରୁ ଦେବ ପ୍ରସାଦ ସମ୍ମାନ ସମାରୋହ,ମୁକ୍ତେଶ୍ଵର ଉତ୍ସବ ଆଦି ରେ ସେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ପଞ୍ଜାବ ଆନ୍ତଃ ବିଶ୍ଵବିଦ୍ୟାଳୟ ଯୁବ ଉତ୍ସବ ୨୦୨୨ ରେ ସ୍ଵର୍ଣ୍ଣ ପଦକ,ଭାରତ ସରକାରଙ୍କ ବନ୍ଦେ ଭାରତମ୍ ୨୦୨୧ ସମ୍ମାନ,୨୦୧୬ ରେ ଜାତୀୟ ଯୁବ ଉତ୍ସବ ଓଡ଼ିଶୀ ରେ ସ୍ଵର୍ଣ୍ଣ ପଦକ ସାଙ୍ଗକୁ ଓଡ଼ିଶା ରାଜ୍ୟପାଳ ଟ୍ରଫି,ମୁଖ୍ୟମନ୍ତ୍ରୀ ଟ୍ରଫି,ବିଜୁ କନ୍ୟା ରତ୍ନ ପୁରସ୍କାର ତାଙ୍କ ଦକ୍ଷତା ଓ ପ୍ରତିଭାର ଅଲିଭା ସ୍ୱାକ୍ଷର।ଦୂରଦର୍ଶନ ର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର ଭାବେ ସେ କାର୍ଯ୍ୟ କରି ଆସୁଛନ୍ତି।ମୋଟ ଉପରେ ଓଡ଼ିଶୀ ନୃତ୍ୟ କୁ ସମଗ୍ର ବିଶ୍ଵରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ। ବିଶ୍ଵ ନୃତ୍ୟ ଦିବସରେ ଆନିଶା ଙ୍କ ବିପୁଳ ସମ୍ଭାବନା ଓ ପ୍ରତିଭା ତାଙ୍କ ପାଇଁ ଓ ଅନୁଗୁଳ ଜିଲ୍ଲା ପାଇଁ ଅନେକ ଯଶକୀର୍ତି ଆଣିଦେଉ ଏଟିଭି ପକ୍ଷରୁ ଏତିକି କାମନା ।