କଳା ଓ ସଂସ୍କୃତି

ଲଙ୍ଗୁଳିଆବେଡ଼ାରେ ମା’ ଗ୍ରାମେଶ୍ୱରୀଙ୍କ ବାର୍ଷିକ ଯାତ୍ରା: ଘଣ୍ଟ, ଶଙ୍ଖ ଓ ହରିବୋଲ ଧ୍ୱନିରେ କମ୍ପିଲା ଗାଁ; ଦର୍ଶନ କଲେ ବିଧାୟକ

By Angul TV Bureau

October 27, 2026

ଅନୁଗୋଳ: ଭକ୍ତି ଓ ପରମ୍ପରାର ଅନନ୍ୟ ସମାଗମ ମଧ୍ୟରେ  ବଅଁରପାଳ ବ୍ଲକ ଲଙ୍ଗୁଳିଆବେଡ଼ା ଗ୍ରାମରେ ଗ୍ରାମଦେବୀ ମା’ ଗ୍ରାମେଶ୍ୱରୀଙ୍କ ବାର୍ଷିକ ଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଆଶ୍ୱିନ ପୂର୍ଣ୍ଣିମା ତଥା କୁମାର ପୂର୍ଣ୍ଣିମା ଅବସରରେ ପାଳିତ ଏହି ପାରମ୍ପରିକ ବଡ଼ପୂଜାରେ ଗ୍ରାମବାସୀଙ୍କ ସହ ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ମା’ଙ୍କ ଦର୍ଶନ କରିଥିଲେ।

ପରମ୍ପରା ଅନୁଯାୟୀ, ପ୍ରତ୍ୟୁଷରୁ ମା’ଙ୍କ ସେବକ ତଥା ଦେହୁରୀ ନରେଶ ଚନ୍ଦ୍ର ଦେହୁରୀ ଆଲମ ଘରେ ପୂଜାର୍ଚ୍ଚନା କରି ମା’ଙ୍କୁ ପୀଠସ୍ଥଳୀକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ। ପରେ ମଧ୍ୟାହ୍ନ ୧୨ଟାରେ ମା’ଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମର ମୁଖ୍ୟ ରାସ୍ତା ପରିକ୍ରମା କରାଇ ପୀଠସ୍ଥଳୀକୁ ନିଆଯାଇଥିଲା। ଛତି, ତରାଶ ସହ ଘଣ୍ଟ, ଶଙ୍ଖ, ଢୋଲ, ନିଶାଣ ଓ ଆତସବାଜୀର ଧ୍ୱନିରେ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ହରିବୋଲ, ହୁଳହୁଳି ଓ ଡିଜେ ସାଉଣ୍ଡରେ ସମଗ୍ର ଗ୍ରାମ ପ୍ରକମ୍ପିତ ହୋଇଥିଲା।

ଶୋଭାଯାତ୍ରା ପଥରେ ମହିଳାମାନେ ନୂତନ ଶାଢ଼ି ବିଛାଇବା ସହ ଘଟ ସ୍ଥାପନ କରି ମା’ଙ୍କୁ ବନ୍ଦାପନା କରିଥିଲେ। ପୀଠରେ ପହଞ୍ଚିବା ପରେ ମା’ଙ୍କ ବିଗ୍ରହର ମାର୍ଜଣା କରାଯାଇଥିଲା। ଦେହୁରୀ ନରେଶ ଚନ୍ଦ୍ର ଦେହୁରୀ ଓ ତାଙ୍କ ସହଯୋଗୀ ବେଲପତରିଆ ପରବାସିଆ ସାହୁ ପାରମ୍ପରିକ ରୀତିନୀତି ଅନୁସାରେ ଷୋଡ଼ଶ ଉପଚାରରେ ପୂଜାପାଠ କରିଥିଲେ। ମାନସିକ ପୂରଣ ପାଇଁ ମହିଳାମାନେ ଅଧିଆ ପଡ଼ିଥିବା ବେଳେ ଶିଶୁମାନଙ୍କ ମୁଣ୍ଡନ କାର୍ଯ୍ୟ ମଧ୍ୟ ସମ୍ପନ୍ନ ହୋଇଥିଲା।

ସ୍ୱେଚ୍ଛାସେବୀ ସଂଗଠନ ‘ଛୋଟ ଏକ ପ୍ରୟାସ’ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ଓ ପାନୀୟ ଜଳର ବ୍ୟବସ୍ଥା କରାଯାଇଥିଲା। ଏଥିସହ ବାଦଦଣ୍ଡ ଓ ରାମଲୀଳା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରାର ଆକର୍ଷଣ ବଢ଼ାଇଥିଲା।

ଏହି ଅବସରରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଯୁବ ସମାଜସେବୀ ଅଭିମନ୍ୟୁ ସାହୁ ଯୋଗଦେଇ ମା’ଙ୍କ ଦର୍ଶନ କରିଥିଲେ। ଗ୍ରାମ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ମା’ ଗ୍ରାମେଶ୍ୱରୀଙ୍କ ବାର୍ଷିକ ଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା।