ଅନୁଗୁଳ: ଗମ୍ଭାରୀମଳିହା ଆମ୍ବତୋଟା ପରିସରରେ ଗୋଣ୍ଡ ସମାଜ ବ୍ରାହ୍ମଣୀଦେଇ ପୁଞ୍ଜର ବାର୍ଷିକ ସାଧାରଣ ସଭା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରଭୁ ଜଙ୍ଘାଦେବଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ବୈଠକରେ ସାମାଜିକ ବିଧିବିଧାନ ଅନୁପାଳନ, ସଂସ୍କୃତିର ସୁରକ୍ଷା ଏବଂ ଯୁବପିଢ଼ିଙ୍କୁ ଜାତିର ପରମ୍ପରା ପ୍ରତି ଆକୃଷ୍ଟ କରିବା ସହ ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ଅବସରରେ ବାର୍ଷିକ ଆୟ-ବ୍ୟୟର ହିସାବ ଉପସ୍ଥାପନ କରାଯିବା ସହ ସଭ୍ୟମାନଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଋଣ କାରବାର ପ୍ରକ୍ରିୟା ସମ୍ପାଦିତ ହୋଇଥିଲା। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଗମ୍ଭାରୀମଳିହା ଗ୍ରାମର ଛାତ୍ରୀ ଝରଣା ନାୟକଙ୍କୁ ପୁଞ୍ଜ ପକ୍ଷରୁ ଏକ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବାଇଶିପାଲି ପୁଞ୍ଜର ପୂର୍ବତନ ସମ୍ପାଦକ ରଞ୍ଜନ ନାୟକ ବ୍ୟକ୍ତିଗତ ଭାବେ ଆଉ ଏକ ହଜାର ଟଙ୍କା ପ୍ରଦାନ କରି ତାଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ବ୍ରାହ୍ମଣୀଦେଇ ପୁଞ୍ଜ ସଭାପତି ରାଘବ ନାୟକ ଓ ସମ୍ପାଦକ କୁଶ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୋଷାଧ୍ୟକ୍ଷ ମାନଗୋବିନ୍ଦ ନାୟକ, ଉପସଭାପତି ଗୋବର୍ଦ୍ଧନ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ଆଖପାଖ ୮ଟି ଗ୍ରାମରୁ ଶତାଧିକ ପୁରୁଷ ଓ ମହିଳା ଏଥିରେ ଯୋଗ ଦେଇଥିଲେ।