ଅନୁଗୁଳ : ଅନୁଗୁଳ ସହରର ହାଟଛକ ସ୍ଥିତ ଶ୍ରୀ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ବୁଧବାର ଓ ଗୁରୁବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଦୌଡ଼, ଅଙ୍କ ଦୌଡ଼, ବିସ୍କୁଟ ଦୌଡ଼, ବାଟି ଚାମଚ, ଧୀର ସାଇକେଲ ଚାଳନା, ବେଙ୍ଗଡିଆଁ, ଦଉଡି ଡିଆଁ, ମ୍ୟୁଜିକ ଚେୟାର ଓ ପୁଚି ଆଦି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ପ୍ରତିଭାକୁ ପ୍ରଦର୍ଶନ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ ଶିଶୁଙ୍କୁ ଉତ୍ସାହିତ କରିବା ପାଇଁ ମା’ଙ୍କ ମଧ୍ୟରେ ଦୌଡ଼ ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା କରାଯାଇଥିଲା। କୃତୀ ମା’ମାନଙ୍କୁ ବାର୍ଷିକ ଉତ୍ସବ ବେଳେ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ଟ୍ରଷ୍ଟି ଚେୟାରମ୍ୟାନ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ବିଶିଷ୍ଟ ବ୍ୟବସାୟୀ କମଲେଶ ବର୍ମା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ଅଶ୍ରୁର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରଞ୍ଜନ କୁମାର ନନ୍ଦ, ଗୁରୁଜୀ ପରମାନନ୍ଦ ସାହୁ, ଗୁରୁମା ବିନୋଦିନୀ ଦାଶ, ବନ୍ଦନା ଶତପଥୀ, ଜ୍ୟୋସ୍ନାରାଣୀ ପ୍ରଧାନ, କବିତା ଶତପଥୀ, ଜ୍ୟୋତିର୍ମୟୀ ପ୍ରଧାନ, ନିରୂପମା ଗଡନାୟକ, ସଂଯୁକ୍ତା ଭୋଇ, ମଞ୍ଜୁଲତା ଦେହୁରୀ, ଅନିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।