ମୁଖ୍ୟ ଖବର

ଆଜିଠୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ, ଶପଥ ନେଲେ ଅନୁଗୁଳର ସରକାରୀ ଅଧିକାରୀ

By Biswaranjan Pattnaik

October 28, 2024

ଅନୁଗୁଳ: ଦୁର୍ନୀତି ହଟାଇ ଶାନ୍ତି ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି କରିବାକୁ ଅକ୍ଟୋବର ୨୮ ରୁ ନଭେମ୍ବର ୩ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ।

ଚଳିତ ବର୍ଷର ବାର୍ତ୍ତା ହେଉଛି “ସତ୍ୟନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି”। ସମାଜର ପ୍ରତ୍ୟେକ ସ୍ତରରୁ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତେ ଆଗେଇ ଆସିବା ସହ ଜୀବନର ସବୁ କ୍ଷେତ୍ରରେ ସାଧୁତା ଓ ସଚ୍ଚୋଟତା ଅବଲମ୍ବନ କରି ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନରେ ଭିଡିଓ କନଫରେନସ୍ ମାଧ୍ୟମରେ ଆଜି ଦିନ ୧୦.୩୦ଟାରେ ଶପଥ ପାଠ କରାଇଥିଲେ। ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତର ଯୋଗ ଦେଇ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ଆଇଏଏସ୍ ପ୍ରୋବେସନରୀ ତେଜସ୍ବିନୀ ବେହେରା, ଡେପୁଟି କଲେକ୍ଟର(ନିର୍ବାଚନ) ମମତା ପ୍ରଧାନ, ଭିଜିଲାନସ୍ ଇନସପେକ୍ଟର ଉର୍ମଳା ଲାକ୍ରା, ସହକାରୀ ଜିଲ୍ଲାପାଳ(ଜିଲ୍ଲାପାଳ) ସୌଭାଗ୍ୟ ମହାନ୍ତି,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ଯୋଗାଣ ଅଧିକାରିଣୀ ସ୍ମିତା ନାୟକ, ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ ଶିବାଶିବ କାନୁନଗୋ, ସହକାରୀ ଜିଲ୍ଲାପାଳ ପ୍ରତାପ ହରି ପ୍ରଧାନ, ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦେବାଶିଷ ସାହୁଙ୍କ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ସେହିପରି ଜିଲ୍ଲାର ସମସ୍ତ ଉପଖଣ୍ଡ କାର୍ଯ୍ୟାଳୟ, ପଞ୍ଚାୟତ ସମିତି କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ, ଗ୍ରାମ ପଞ୍ଚାୟତ, ସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ କାର୍ଯ୍ୟାଳୟଗୁଡିକରେ ମଧ୍ୟ ଶପଥ ପାଠ ଅନୁଷ୍ଠିତ ହୋଇଛି।