ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ଛେଣ୍ଡିପଦା ବନାଞ୍ଚଳରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଶିକାରୀଙ୍କ ଉପରେ କଡ଼ା ନଜର ରଖିବା ପାଇଁ ନୂତନ ଭାବେ ‘ଶିକାର ବିରୋଧୀ ବ୍ୟାରେକ’ ନିର୍ମାଣ କରାଯାଇଛି। ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଶୁଭ୍ରା ଶୁଚିସ୍ମିତା ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବରେ ସ୍ଥାନୀୟ ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ କୁମାର ସ୍ୱାଇଁ ଏବଂ ଡିଏଫଓ ନୀତିଶ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ମୋଟ ୩୫ ଲକ୍ଷ ୨୮ ହଜାର ୮୫୯ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ବ୍ୟାରେକଟି କର୍ମଚାରୀଙ୍କୁ ଅଧିକ ସକ୍ରିୟ କରିବ।
ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଛେଣ୍ଡିପଦା ଅଞ୍ଚଳରେ ବନ୍ୟଜନ୍ତୁଙ୍କ ଚଳପ୍ରଚଳ ଅଧିକ ଥିବାରୁ ଶିକାରୀଙ୍କ ଭୟ ରହିଥାଏ। ଏହି ବ୍ୟାରେକ ଦ୍ୱାରା ବନ କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରିବା ସହ ଅବୈଧ ଶିକାରକୁ ରୋକିବାରେ ସକ୍ଷମ ହେବେ। ଏହି ପଦକ୍ଷେପ ସ୍ଥାନୀୟ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।