ଅନୁଗୋଳ : ସହର ଉପକଣ୍ଠ ରାଣୀଗୋଡ଼ା ଗ୍ରାମର ଆରାଧ୍ୟା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ କାଦୁଆ ପୂଜା ବଡ଼ ଆନନ୍ଦୋଲ୍ଲାସର ସହ ପାଳନ ହୋଇଛି। ଏହି ଅବସରରେ ସାମନ୍ତ ସାହିସ୍ଥିତ ଦିଅଁ ଘରୁ ମା’ଙ୍କ ସୁସଜ୍ଜିତ ବିଜେ ପ୍ରତିମା ‘ଆଲମ’କୁ ଏକ ବାଦ୍ୟଯନ୍ତ୍ର ଓ ହରିବୋଲ ଧ୍ୱନି ସହ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା।
ପୀଠରେ ପହଞ୍ଚିବା ପରେ ପୂଜକ ଭାଗିରଥି ଦେହୁରୀ ଏବଂ ସହଯୋଗୀମାନେ ନୀତିକାନ୍ତି ଅନୁସାରେ ମାର୍ଜନା ଓ ବଡ଼ ପୂଜା ସମ୍ପନ୍ନ କରିଥିଲେ। ପୂଜାସ୍ଥଳୀରେ ବହୁ ଶ୍ରଦ୍ଧାଳୁ ଏକାଠି ହୋଇ ମା’ଙ୍କ ପାଖରେ ଅଧିଆ ପଡ଼ିଥିଲେ। ମା’ କାଳେସୀଙ୍କ ଆବିର୍ଭାବ ପରେ ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ଏଥିସହ ବହୁ ନବଜାତ ଶିଶୁଙ୍କ ମାନସିକ ମୁଣ୍ଡନ କର୍ମ ମଧ୍ୟ ସମ୍ପାଦିତ ହୋଇଥିଲା।
ପୂଜା ପରେ ନିକଟସ୍ଥ ମା’ ପୀତାବଳୀଙ୍କ ପୀଠରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟାରେ ମା’ଙ୍କ ପ୍ରତିମାକୁ ପୁନର୍ବାର ଦିଅଁ ଘରକୁ ଅଣାଯାଇଥିଲା। ଗ୍ରାମବାସୀ ଏବଂ କମଳଲୋଚନ ଦାସ, ବୀରେନ ଦାସ, ଧୀରେନ, ବାପିଙ୍କ ସମେତ ବହୁ ଯୁବକଙ୍କ ପରିଚାଳନାରେ ଏହି ଉତ୍ସବ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିଲା।