ମୁଖ୍ୟ ଖବର

ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ, ସିକ୍ୟୁରିଟି ସଂସ୍ଥା ଚୟନରେ ଅନିୟମିତତା

By Angul TV Bureau

February 24, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ଅନ୍ୟ ସ୍ଵାସ୍ଥ୍ୟ କେନ୍ଦ୍ର ଗୁଡିକରେ ‘ନିର୍ମଳ’ ଯୋଜନାରେ ସିକ୍ୟୁରିଟି ସେବା ଯୋଗାଣ ସଂସ୍ଥା ଚୟନରେ ବ୍ୟାପକ ଅନିୟମିତତା ସାଙ୍ଗକୁ ପ୍ରିୟାପ୍ରୀତି ତୋଷଣ କରାଯାଇଥିବା ପଦାକୁ ଆସିଛି। ଆବଶ୍ୟକ କାଗଜାତ୍ ନଥାଇ ବି ଭାରତ ସିକ୍ୟୁରିଟି ସର୍ଭିସ (ବିଏସଏସ) ନାମକ ଏକ ସଂସ୍ଥାକୁ ଅନୁଗ୍ରହ ଦେଖାଇ ହାତକୁ କୋଟି କୋଟି ଟଙ୍କା ଟେକି ଦିଆଯାଇଛି। ୨୦୧୯ ଜୁଲାଇ ୩୦ ତାରିଖରେ ଏହି ସଂସ୍ଥା ସହ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଥିଲା। ସିକ୍ୟୁରିଟି ଗାର୍ଡ ବ୍ୟବସାୟ କରିବାକୁ ଗୃହ ବିଭାଗର ଲାଇସେନ୍ସ ନଥିବା ସତ୍ବେ ବିଏସଏସ ସହ କିଭଳି ଚୁକ୍ତି ସ୍ୱାକ୍ଷର କରାଗଲା ତାହା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଯେଉଁ ସିକ୍ୟୁରିଟି ଗାର୍ଡ ଓ ସୁପର ଭାଇଜର ନିଯୁକ୍ତ ପାଇଛନ୍ତି ସେମାନଙ୍କ କାଗଜପତ୍ର ମଧ୍ୟ ଜିଲ୍ଲା ସ୍ଵାସ୍ଥ୍ୟବିଭାଗ ଦ୍ୱାରା ଯାଞ୍ଚ କରାଯାଇନାହିଁ । ଅଣ ତାଲିମ ପ୍ରାପ୍ତ ସିକ୍ୟୁରିଟି ଗାର୍ଡ ଓ ସୁପର ଭାଇଜର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି ।ଜଣେ ସିକ୍ୟୁରିଟି ସୁପରଭାଇଜରଙ୍କର ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ଗ୍ରାଜୁଏଟ ଓ ବୟସ ସର୍ବ ନିମ୍ନ ୩୦ ଓ ସର୍ବାଧିକ ୬୦ ବର୍ଷ ହୋଇଥିବ । ୧୦ ବର୍ଷର ଅଭିଜ୍ଞତାସହ ଏକ୍ସ ଆର୍ମି ହୋଇଥିବେ । ସେହିଭଳି ଜଣେ ସିକ୍ୟୁରିଟି ଗାର୍ଡଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ହୋଇଥିବା ଆବଶ୍ୟକ। ବୟସ ସର୍ବନିମ୍ନ ୨୧ ଓ ସର୍ବାଧିକ ୫୦ ବର୍ଷ ହୋଇଥିବ । ତାଲିମ ପ୍ରମାଣପତ୍ର ଥିବ । ନିଯୁକ୍ତି ଦିଆଯାଇଥିବା ମୋଟ ଗାର୍ଡ ଓ ସୁପରଭାଇଜରଙ୍କ ୧୦ ପ୍ରତିଶତ ଏକ୍ସ ଆର୍ମି ହୋଇଥିବେ । ସିକ୍ୟୁରିଟି ଗାର୍ଡ ମାସକୁ ୧୨ ହଜାର ୧୩୭ ଟଙ୍କା ଓ ସୁପରଭାଇଜର ମାସକୁ ୧୩ ହଜାର ୮୮୦ ଟଙ୍କା ହିସାବରେ ୧୬୩ ଜଣ ସିକ୍ୟୁରିଟି ଗାର୍ଡ ଓ ୧୨ ଜଣ ସୁପର ଭାଇଜର ମାସକୁ ମୋଟ ୨୦ ଲକ୍ଷ, ୭୨ ହଜାର ଉପରେ ୧୮ ପ୍ରତିଶତ ଜିଏସଟି ରାଜ୍ୟ ରାଜକୋଷରୁ ନେଉଛନ୍ତି । ସରକାରୀ ଅର୍ଥ ନେଉଛି ପୁଣି ଅଣ ପଞ୍ଜିକୃତ ସଂସ୍ଥା । ସଂସ୍ଥାର କାର୍ଯ୍ୟକାଳ ଶେଷ ହୋଇଥିଲେବି ନୂଆ ଟେଣ୍ଡର କରାନଯାଇ ବାରମ୍ବାର ଅବଧି ବଢ଼ାଯାଉଛି ।ବିଏସଏସର ଅବଧି ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ବିଏସଏସ ସଂସ୍ଥା ପ୍ରତି ଅନୁକମ୍ପା ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଜଣେ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସମ୍ପର୍କୀୟଙ୍କୁ ଜିଲ୍ଲା ସଂସ୍ଥାରେ ସୁପରଭାଇଜର ଭାବେ ନିଯୁକ୍ତି ଦିଆଯାଇଥିବା ଚର୍ଚ୍ଚା ହେଉଛି। ଏ ନେଇ ସିଡିଏମଓ ଡା. ଅଭୟ କୁମାର ଦାଶଙ୍କୁ ଯୋଗାଯୋଗ କରାଯିବାରୁ ଅନିୟମିତତା ପ୍ରସଙ୍ଗକୁ ଅସ୍ବୀକାର କରିବା ସହ ସବୁ ଠିକ ଅଛି ବୋଲି କହିଛନ୍ତି।