ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ଼ଃ ସୁରେଶ କୁମାର ଦଳେଇ ବୁଧବାର ଅନୁଗୁଳ ଜିଲ୍ଲାକୁ ଗସ୍ତରେ ଆସି କୋର୍ଟ କାର୍ଯ୍ୟ, ଜିଲ୍ଲା କାର୍ଯ୍ୟାଳୟ ଓ ଜିଲ୍ଲା ସବ୍ ରେଜିଷ୍ଟର କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିଥିଲେ। ସକାଳେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଜିଲ୍ଲାର ମାନ୍ୟତା ପାଇବା ପରେ ଜିଲ୍ଲାରେ ଆବଶ୍ୟକ ସରକାରୀ କର୍ମଚାରୀଙ୍କ ବାସଗୃହ ପାଇଁ ତୁରନ୍ତ ସରକାରଙ୍କୁ ବାସଗୃହ ନିର୍ମାଣ ପ୍ରସ୍ତାବ ପଠାଇବା, ସୂଚନା ଅଧିକାର ଆଇନରେ ଆବେଦନ ହୋଇଥିବା ଦରଖାସ୍ତ ଫର୍ମ ମାସ ମାସ ଧରି ପଡି ରହିଥିବା ଦରଖାସ୍ତ ଗୁଡିକର ଆବଶ୍ୟକ ସୂଚନା ପ୍ରଦାନ କରିବା, ଜନ ଅଭିଯୋଗ ଶୁଣାଣି ପୋର୍ଟାଲରେ ଯେତିକି ଅଭିଯୋଗ ଗ୍ରହଣ କରାଯାଉଛି ସେଗୁଡିକର ସଠିକ୍ ସମୟରେ ଶୁଣାଣି କରିବା, ଓଡିଶା ରାଜସ୍ୱ ସେବାର ଖାଲିଥିବା ପଦଗୁଡିକୁ ତୁରନ୍ତ ପୁରଣ କରିବା, ରାଜସ୍ୱ ନିରିକ୍ଷକ, ଅମିନ, ପିଅନ, ଶିକ୍ଷିତ ପିଅନ, ଦପ୍ତରି ଓ ଏଆରଆଈ ପଦ ପାଇଁ ତୁରନ୍ତ ପ୍ରସ୍ତାବ ପଠାଇବା, ବର୍ତ୍ତମାନ ସୁଦ୍ଧା ଗ୍ରୁପ୍ ‘ଡି’ ରେ ଖାଲି ପଡ଼ିଥିବା ୧୯୨ଟି ପଦ ପୁରଣ କରିବା ପାଇଁ ପ୍ରସ୍ତାବ ପଠାଇବା, ସମାଧାନ ହୋଇନଥିବା ୩୬ଟି କୋର୍ଟ କେଶ୍କୁ ଫଇସଲା କରିବା, ପଡି ରହିଥିବା ୪ଟି ପୁନର୍ବାସ ଦରଖାସ୍ତ ଉପରେ ତୁରନ୍ତ ପଦକ୍ଷେପ ନିଆଯାଇ ଚାକିରି ଦେବା, ପେନସନ୍ କେଶ୍, ଜମି ରେକର୍ଡ ବା ଲିଜ୍ କେଶ୍, ଜବରଦଖଲ, ଦାଖଲଖାରଜ, ସରକାରୀ ଯାଗାର ସୁରକ୍ଷା ନିମନ୍ତେ ଉପଲବଧ ସରକାରୀ ଅର୍ଥରେ ପାଚେରୀ ନିର୍ମାଣ କରିବା, ମାର୍ଚ୍ଚ ସୁଦ୍ଧା ସମସ୍ତ ଲକ୍ଷ୍ୟ ପୁରଣ କରି ପଡିରହିଥିବା କାର୍ଯ୍ୟକୁ ଶେଷ କରିବାକୁ କମିଶନର ପରାମର୍ଶ ଦେଇଥିଲେ। ବୈଠକରେ ଖଣି ଅଂଚଳର ଜମି ଅଧୁଗ୍ରହଣ, ନିରାମୟ ଯୋଜନାର କାର୍ଯ୍ୟକାରିତା, ମା’ ଓ ଶିଶୁ ମୃତ୍ୟୁହାର କମାଇବା ନିମନ୍ତେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସବ୍ ରେଜିଷ୍ଟାର କାର୍ଯ୍ୟାଳୟର ବାର୍ଷିକ ନିରୀକ୍ଷଣ କରିବା ସହ ପଡି ରହିଥିବା ପୁରାତନ କେଶ୍ଗୁଡିକୁ ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଡେପୁଟୀ କଲେକ୍ଟର ବଇତୁରା ଦିପ୍ ସମେତ ବିଭିନ୍ନ ବିଭାଗର କର୍ମକର୍ତା ଉପସ୍ଥିତ ଥିଲେ।