କ୍ରୀଡ଼ା

ଜାତୀୟ ମୁଆଥାଈ ପ୍ରତିଯୋଗିତାରେ ଅନୁଗୁଳ ଜିତିଲା ୬ ସ୍ବର୍ଣ୍ଣ, ବିଜୟୀଙ୍କୁ ରେଳ ଷ୍ଟେସନରେ ବିପୁଳ ସମ୍ବର୍ଦ୍ଧନା

By Biswaranjan Pattnaik

June 23, 2022

ଅନୁଗୁଳ: ୟୁନାଇଟେଡ ମୁଆଥାଈ ଆସୋସିଏସନ୍ ପକ୍ଷରୁ ମଧ୍ୟପ୍ରଦେଶ ଦେବାସ ସ୍ଥିତ ଶ୍ରୀମନ୍ତ ଟୁକୋଜି ରାଓ ପାୱାର ଇନଡୋର ଷ୍ଟାଡ଼ିୟମରେ ଜୁନ ୧୬ ରୁ ୨୨ ଯାଏଁ ଆୟୋଜିତ ହୋଇଛି ଜାତୀୟ ମୁଆଥାଈ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଓଡ଼ିଶା ମୁଆଥାଈ ୟୁନିୟନ ତରଫରୁ ଓଡ଼ିଶାର ଏକ ୪୮ ଜଣିଆ ଦଳ ଭାଗ ନେଇ ବିପୁଳ ସଫଳତା ଅର୍ଜନ କରିଛି। ଏହି ଦଳ ୬ ଟି ସ୍ଵର୍ଣ୍ଣ ପଦକ, ୯ ଟି ରୌପ୍ୟ ପଦକ ଏବଂ ୧୬ ଟି ବ୍ରୋଞ୍ଜ ପଦକ ହାସଲ କରି ରାଜ୍ୟକୁ ଗୌରବାନ୍ବିତ କରିଛି।

ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାରୁ ୧୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସବୁଠାରୁ ଗୌରବର କଥା ହେଉଛି ଅନୁଗୁଳ ଜିଲ୍ଲାର ଖେଳାଳିମାନେ ସମସ୍ତ ୬ ଟି ଯାକ ସ୍ଵର୍ଣ୍ଣ ପଦକ, ୩ ରୌପ୍ୟ ଓ ୩ ଟି ବ୍ରୋଞ୍ଜ ପଦକ ଜିତିଛନ୍ତି।

ଖେଳାଳିମାନେ ଆଜି ଅନୁଗୁଳ ରେଲୱେ ଷ୍ଟେସନରେ ପହଞ୍ଚିବା ପରେ ଜିଲ୍ଲାବାସୀ ସେମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସ୍ଵାଗତ କରିଥିଲେ। କୋଚ୍ ଦୁଷ୍ମନ୍ତ କୁମାର ନାଥଙ୍କ ତତ୍ତ୍ୱାବଧାନ ଏବଂ ମ୍ୟାନେଜର ଜିନେନ୍ଦ୍ର କୁମାର ପ୍ରଧାନଙ୍କ ସହଯୋଗରେ ଏହି ବିଜୟ ହାସଲ କରିଥିବା କହିଛନ୍ତି।

ରେଳ ଷ୍ଟେସନରେ ନଗରପାଳ ଅକ୍ଷୟ କୁମାର ସାମନ୍ତ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଯୁବନେତା ଅରୁନାଭ ସିଂହ, ନିର୍ମଳ ଅଗ୍ରୱାଲ, ଶଙ୍ଖପୁର ସରପଞ୍ଚ ଜ୍ୟୋତିର୍ମୟୀ ଦେହୁରୀଙ୍କ ସମେତ କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଶାନ୍ତ ସିହ୍ନା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ସ୍ୱାଗତ କରିଥିଲେ।