ଭୁବନେଶ୍ବର: ଓଡ଼ିଶାରେ ନ୍ୟାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଦ୍ୱାରା ୨୩ଟି ଜିଲ୍ଲାରେ ୫୬ଟି ନୂତନ ଅଦାଲତ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏହାଦ୍ବାରା ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୩ଟି ଅଦାଲତ, ସୁନ୍ଦରଗଡ଼ରେ ୫ଟି, ବଲାଙ୍ଗୀର, କେଉଁଝର ଓ ରାୟଗଡ଼ାରେ ୪ଟି ଲେଖାଏଁ ନୂତନ କୋର୍ଟ ସ୍ଥାପିତ ହେବ। ସେହିପରି ଗଜପତିରେ ୩ଟି, ବରଗଡ଼, ଗଞ୍ଜାମ, କୋରାପୁଟ, ଯାଜପୁର, ପୁରୀ ଓ ସମ୍ବଲପୁରରେ ୨ଟି ଏବଂ ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା ଭଳି ଜିଲ୍ଲାରେ ୧ଟି ଲେଖାଏଁ କୋର୍ଟ ଖୋଲାଯିବ।
ଏହି ନୂତନ କୋର୍ଟ ସ୍ଥାପନ ମାଧ୍ୟମରେ ମୋଟ ୮୪୦ ନୂଆ ନିଯୁକ୍ତି ସୃଷ୍ଟି ହେବ। ୨୦୨୨ରେ କେନ୍ଦ୍ର ସରକାର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୭୦୦ ଅଦାଲତ ରହିଥିଲେ ମଧ୍ୟ, ୧୫ ଲକ୍ଷରୁ ଅଧିକ ମାମଲା ବିଚାରଧୀନ ରହିଛି। ତେଣୁ ଏହି ପଦକ୍ଷେପ ଦ୍ୱାରା ନ୍ୟାୟ ପ୍ରଦାନ ତ୍ୱରିତ ହେବା ସହ ଜନତା ଲାଭାନ୍ବିତ ହେବେ।