ମୁଖ୍ୟ ଖବର

ଅନୁଗୁଳରେ ସଶସ୍ତ୍ର ଲୁଟ୍ ଘଟଣାର ପର୍ଦ୍ଦାଫାସ: ୨ ଗିରଫ, ଲୁଟ୍ ସାମଗ୍ରୀ ଜବତ

By Angul TV Bureau

April 09, 2026

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା-ଜରାସିଂହା ରାସ୍ତାରେ ଘଟିଥିବା ଚାଞ୍ଚଲ୍ୟକର ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏହି ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ଲୁଟ୍ ସାମଗ୍ରୀ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ଗତ ମଙ୍ଗଳବାର ରାତିରେ ବଡ଼କେରେଜେଙ୍ଗସ୍ଥିତ ଏକ ବିଦେଶୀ ମଦ ଦୋକାନର ମ୍ୟାନେଜର କିଶୋର ଚନ୍ଦ୍ର ଭୂତିଆ କାମ ସାରି ସ୍କୁଟି ଯୋଗେ ଘରକୁ ଫେରୁଥିଲେ। ବେଣାଗାଡ଼ିଆ ନିକଟସ୍ଥ ଏକ ନିଛାଟିଆ ସ୍ଥାନରେ ତିନିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଭୁଜାଲି ଓ ଲାଠିରେ ମରଣାନ୍ତକ ଆକ୍ରମଣ କରିଥିଲେ। ଲୁଟେରାମାନେ ତାଙ୍କଠାରୁ ଗୋଟିଏ ସୁନା ମୁଦି, ୧୮ ହଜାର ଟଙ୍କା ଏବଂ ସ୍କୁଟି ଲୁଟି ଚମ୍ପଟ ମାରିଥିଲେ।

ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ ଭାରତୀୟ ନ୍ୟାୟ ସଂହିତାର ଦଫା ୩୦୯(୬) ଅନୁସାରେ ମାମଲା (ନଂ-୨୭୦) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ମଝିକାର ସତ୍ୟନାରାୟଣ ମହାପାତ୍ର ଓ ଜରାସିଂହାର ଲୁଲୁ ସାହୁଙ୍କୁ ଗିରଫ କରାଯାଇଛି। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଲୁଟ୍ ହୋଇଥିବା ସ୍କୁଟି ଏବଂ ଅପରାଧରେ ବ୍ୟବହୃତ ମୋଟରସାଇକେଲ ଜବତ କରିଛି। ଗିରଫ ଦ୍ଵୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ତନାଘନା ଜାରି ରଖିଛି।