ମୁଖ୍ୟ ଖବର

ଘଡ଼ିଆଳ ପାଇଁ ପ୍ରସ୍ତୁତ ଚାଲିଛି କୃତ୍ରିମ ଥଣ୍ଟ: ମଗର ସହ ଲଢେ଼ଇରେ ଘଡ଼ିଆଳ ହୋଇଥିଲା ଆହତ

By Angul TV Bureau

August 20, 2025

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ଡରେ ଗତ ଜୁନ ମାସରେ ମଗର ସହ ଏକ ଅଣ୍ଡିରା ଘଡ଼ିଆଳର ଭୀଷଣ ଲଢେଇ ହୋଇଥିଲା। ନିଜର ଅଞ୍ଚଳ ଦଖଲ ପାଇଁ ନଦୀରେ ହୋଇଥିବା ଏହି ଲଢେଇରେ ମଗର ଆକ୍ରମଣ ଯୋଗୁଁ ଘଡ଼ିଆଳ କୁମ୍ଭୀରର ଥଣ୍ଟଟି ଛିଣ୍ଡି ଯାଇଥିଲା। କ୍ଷତାକ୍ତ ହୋଇ ଘଡ଼ିଆଳ ନଦୀରେ ବୁଲୁଥିବା ବେଳେ ବନବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ଏହାକୁ ଉଦ୍ଧାର କରାଯାଇଥିଲା।

ସେହି ଦିନ ଠାରୁ ଘଡ଼ିଆଳକୁ ଉଦ୍ଧାର କରାଯାଇ ଟିକରପଡା ସ୍ଥିତ ଘଡ଼ିଆଳ ଗବେଷଣା କେନ୍ଦ୍ରରେ ଏହାର ନିୟମିତ ଚିକିତ୍ସା ଜାରି ରହିଛି। ସାତକୋଶିଆ ପ୍ରାଣୀ ଡାକ୍ତର କିଶୋର ସାହୁ ଏହା ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ବେଳେ କୁମ୍ଭୀର ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡିଛି। ଏପରିକି ଥଣ୍ଟରେ ହୋଇଥିବା କ୍ଷତ ଭଲ ହୋଇଯାଇଥିବା ବେଳେ କୁମ୍ଭୀରଟି ଏବେ ନିଜେ ମାଛକୁ ଖାଉଛି। କିନ୍ତୁ ଉପର ପାଖର ଥଣ୍ଟଟି ଛିଣ୍ଡି ଯାଇଥିବା କାରଣରୁ ଖାଇବାରେ ଅସୁବିଧା ଦେଖାଯାଇଛି।

ଏହି ସମସ୍ୟାକୁ ଆଖି ଆଗରେ ରଖି ସାତକୋଶିଆ ବନବିଭାଗ ଏକ କୃତ୍ରିମ ଥଣ୍ଟ ଲଗାଇବା ପାଇଁ ଯୋଜନା ଚଳାଇଛନ୍ତି। ଡାକ୍ତର କିଶୋର ସାହୁଙ୍କ ସୂଚନା ମୁତାବକ ଏକ ଥଣ୍ଟ ଏବେ ନିର୍ମାଣ କରାଯାଉଛି। ଯାହା ଆଗାମୀ ଦିନରେ କୁମ୍ଭୀର ମୁହଁରେ ଖଞ୍ଜା ଯିବ। ଏନେଇ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଗଦାଧର ପାତ୍ରଙ୍କୁ ପଚାରିବାରୁ ସେ କହିଥିଲେ ଯେ, କୁମ୍ଭୀର ସୁସ୍ଥ ଅଛି। ଡାକ୍ତର ଏହାର ଥଣ୍ଟ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।