ମୁଖ୍ୟ ଖବର

ନବୀନ ନିବାସରେ ପୁତୁରା ଅରୁଣ ପଟ୍ଟନାୟକ, ସମ୍ଭାଳିବେ କି ନବୀନଙ୍କ ବିଜେଡିର ମଙ୍ଗ?

By Angul TV Bureau

June 08, 2024

ଭୁବନେଶ୍ବର: ନବୀନ ନିବାସରେ ଅରୁଣ ପଟ୍ଟନାୟକ। ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ନାତି ହେଉଛନ୍ତି ଅରୁଣ। ସେ ଗତକାଲି ଭୁବନେଶ୍ବରରେ ଆସି ପହଞ୍ଚିଛନ୍ତି। ତେବେ ବିଜେଡି ହାରିବା ପରେ ଅରୁଣଙ୍କ ଅଚାନକ ଭୁବନେଶ୍ୱର ଆଗମନକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଅରୁଣ ନବୀନଙ୍କ ଉତ୍ତରାଧିକାରୀ ହୋଇ ବିଜେଡିର ନେତୃତ୍ୱ ନେବେ ନା ନବୀନଙ୍କୁ ପରାଜୟର ସାନ୍ତ୍ୱନା ଦେଇ ପୁଣିଥରେ ଦିଲ୍ଲୀ ଫେରିଯିବେ, ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ସୂଚନାଯୋଗ୍ୟ, ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ । ସେ ଗତକାଲି ଦିଲ୍ଲୀରୁ ପାଣ୍ଡିଆନଙ୍କ ସହ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଉଭୟଙ୍କୁ ବିମାନ ବନ୍ଦରରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ସ୍ବାଗତ କରିଥିଲେ । ଏହାପରେ ସମସ୍ତେ ନବୀନ ନିବାସ ଯାଇଥିଲେ । ନବୀନ ନିବାସରେ ନବୀନଙ୍କ ସହ ଅରୁଣ ରହିଥିବା ଜଣାପଡ଼ିଛି ।

ଅନ୍ୟପଟେ ନିର୍ବାଚନ ପୂର୍ବରୁ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହେଁ ବୋଲି ନବୀନ କହିସାରିଥିବାବେଳେ ଏବେ ଅରୁଣଙ୍କ ଆବିର୍ଭାବ, ବିଜେଡି ପକ୍ଷରୁ ଦଳକୁ ବଞ୍ଚାଇବାର ପ୍ରୟାସ ଆରମ୍ଭ ହୋଇଛି ବୋଲି କୁହାଯାଉଛି।