ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ଗାଁର ଆଶୁତୋଷ ମାଝୀ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ରେ ୧୬୮ ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି। ଏହି ସଫଳତା ତାଙ୍କ ଗାଁ ଓ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦ ଓ ଗର୍ବର ବାତାବରଣ ସୃଷ୍ଟି କରିଛି।
ଆଶୁତୋଷ ହେଉଛନ୍ତି ମାଛକୁଟା ଗାଁର ଅବସରପ୍ରାପ୍ତ ଶିକ୍ଷକ ଋଷଭ ମାଝୀ ଓ ମାତା ମିନତୀ ସାହୁଙ୍କର ଏକମାତ୍ର ପୁତ୍ର। ସେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ସମ୍ପୂର୍ଣ୍ଣ କରିବା ପରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ (VSSUT)ରେ ରାସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ଆଶୁତୋଷଙ୍କ ଏହି ସଫଳତା ଆହୁରି ପ୍ରେରଣାଦାୟୀ କାରଣ ସେ କୌଣସି କୋଚିଂ ସହାୟତା ନ ନେଇ ନିଜସ୍ୱ ଉଦ୍ୟମ ଓ ଅଧ୍ୟବସାୟରେ ଘରେ ରହି ପ୍ରସ୍ତୁତି କରି ଏହି କୃତିତ୍ୱ ହାସଲ କରିଛନ୍ତି।
ଆଶୁତୋଷ ତାଙ୍କ ଏହି ସଫଳତାର ଶ୍ରେୟ ତାଙ୍କ ପିତା ଋଷଭ ମାଝୀ ଓ ମାତା ମିନତୀ ସାହୁଙ୍କୁ ଦେଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପରିବାରର ନିରନ୍ତର ପ୍ରେରଣା ଓ ସମର୍ଥନ ତାଙ୍କୁ ଏହି କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସାହାଯ୍ୟ କରିଛି।