ଘଟଣା ଓ ଦୁର୍ଘଟଣା

ମୁହଁ ଖୋଲିବାରୁ ମାଡ଼: ଅସଦାଚରଣକୁ ବିରୋଧ କରିବାରୁ ପୀଡ଼ିତାଙ୍କୁ ଆକ୍ରମଣ

By Sanjeeb Biswal

November 19, 2022

ଛେଣ୍ଡିପଦା: ମୁହଁ ଖୋଲିବାରୁ ମହିଳାଙ୍କୁ ମାଡ଼। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଥିବା ବେଳେ ସେ ଏହାକୁ ବିରୋଧ କରିଥିଲେ। ଏହି କାରଣରୁ ପୀଡ଼ିତାଙ୍କୁ ଆକ୍ରମଣ ହୋଇଥିବା ନେଇ ଛେଣ୍ଡିପଦା ଥାନାରେ ଆଜି ଅଭିଯୋଗ ହେଇଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ସେ ତାଙ୍କ ୩ଟି ଛୋଟ ଛୁଆଙ୍କୁ ଧରି ଘରେ ଶୋଇଥିଲେ। ରାତି ପ୍ରାୟ ୧୦.୩୦ରେ କଣଲୋଇର ମନୋରଞ୍ଜନ ଦେହୁରୀ ତାଙ୍କ ଘର କବାଟ ବାଡ଼େଇଥିଲେ। ମହିଳା ଜଣକ ନ ଉଠିବାରୁ ମନୋରଞ୍ଜନ ତାଙ୍କ କବାଟକୁ ଗୋଇଠା ମାରି ଭାଙ୍ଗିବା ସହ ଘରେ ପଶି ଅସଦାଚରଣ ଉଦ୍ୟମ କରିଥିଲେ। କିନ୍ତୁ ସେ ତାଙ୍କ କବଳରୁ ଖସି ଆସି ମନୋରଞ୍ଜନଙ୍କ ଘରେ ଏ କଥା କହିଥିଲେ। କିନ୍ତୁ ମନୋରଞ୍ଜନଙ୍କ ପରିବାର କିଛି ଶୁଣି ନଥିଲେ।

ଶନିବାର ସକାଳୁ ମନୋରଞ୍ଜନଙ୍କ ବାପା ଅବଧୂତ, ମା’ ସରସ୍ଵତୀ ଏବଂ ଖୁଡି ମିଶି ପୀଡ଼ିତାଙ୍କୁ ମାଡ଼ ମାରିଥିଲେ। ପୀଡ଼ିତାଙ୍କ ସ୍ବାମୀ ବାହାରେ ଥିବାରୁ ସେ ଘଟଣା ସମ୍ପର୍କରେ ଫୋନ କରି ଜଣାଇଥିଲେ। ମହିଳାଙ୍କ ସ୍ବାମୀ ଘରକୁ ଆସିବା ବାଟରେ ଅବଧୂତ ତାଙ୍କୁ ବି ଗାଳିଗୁଲଜ କରିଥିଲେ। ଏ ନେଇ ପୀଡ଼ିତା ଶନିବାର ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।