ମୁଖ୍ୟ ଖବର

ଆସନ୍ତାକାଲିଠୁ ଶୀତ ଅଧିବେଶନ: ଆଜି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ପ୍ରମିଳା ମଲ୍ଲିକ

By Angul TV Bureau

November 20, 2023

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ୨୧ ତାରିଖରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ। ଡିସେମ୍ବର ୩୦ ତାରିଖ ଯାଏ ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ୍‌ ୩୦ଟି କାର୍ଯ୍ୟ ଦିବସ ରହିଛି। ଆସନ୍ତା ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେନେଇ ବାଚସ୍ପତି ପ୍ରମିଳା ମଲ୍ଲିକ ସୋମବାର ସର୍ବଦଳୀୟ ବୈଠକ ଡାକିଛନ୍ତି।

ଏ ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ଉପବାଚସ୍ପତି ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି। ବିଧାନସଭାରେ ଶାସକ ଦଳକୁ ବିଭିନ୍ନ ପ୍ରସଙ୍ଗରେ ଘେରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ ହେଉଛି। ସୋମବାର ଅପରାହ୍ନରେ ବିଜେପି ବିଧାୟକ ଦଳ ବୈଠକ ବସିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟ କାର୍ଯ୍ୟାଳୟରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ବିଜେପି ବିଧାୟକମାନେ ଉପସ୍ଥିତ ରହିବେ। ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ବିଧାନସଭା ପରିସରସ୍ଥିତ ପ୍ରକୋଷ୍ଠରେ ବସିବ ବୋଲି ଜଣାପଡ଼ିଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ ବୋଲି ଜଣାପଡ଼ିଛି।