ଅନୁଗୁଳ: ବାଛୁରୀ ଛୁଆକୁ ସୁସ୍ଥ କରିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହେଲେ ବାଛୁରୀ ମାଲିକ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ନୂଆହତା ଅଞ୍ଚଳର ତରୁଣ କୁମାର ସାମଲଙ୍କ ଗାଈ ଆଜିକୁ ଚାରି ଦିନ ହେଲା ଏକ ବାଛୁରୀ ଛୁଆ ଜନ୍ମ ଦେଇଛି। କିନ୍ତୁ ବାଛୁରୀର ମଳଦ୍ଵାର ନ ଥିବାରୁ ତା’ ପେଟ ଫୁଲି ଯାଇଛି। ଏହା ଦେଖି ତରୁଣ ବଅଁରପାଳ ପ୍ରାଣୀ ଚିକିତ୍ସା କେନ୍ଦ୍ର ତା ପରେ ଅନୁଗୁଳ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ବାଛୁରୀକୁ ଧରି ଆସିଥିଲେ। ମାତ୍ର ପ୍ରାଣୀ ଚିକିତ୍ସକ ମାନେ ସମୂହ ଛୁଟିରେ ଥିବାରୁ ତା’ର ଚିକିତ୍ସା ହୋଇ ପାରି ନଥିଲା। ଏଣୁ ତରୁଣ ବାଧ୍ୟ ହୋଇ ବାଛୁରୀ ଛୁଆକୁ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଚିକିତ୍ସା କରିବା ପାଇଁ ନେହୁରା ହୋଇଥିଲେ।