କ୍ରୀଡ଼ା

ଆଠମଲ୍ଲିକ କପ୍-୨୦୨୬: ଝାରସୁଗୁଡ଼ାକୁ ହରାଇ କୁଚିଣ୍ଡା ଚମ୍ପିୟାନ

By Angul TV Bureau

February 09, 2026

ଅନୁଗୁଳ: କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଆୟୋଜିତ ପ୍ରତିଷ୍ଠିତ ‘ଆଠମଲ୍ଲିକ କପ୍-୨୦୨୬’ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଏହି ରୋମାଞ୍ଚକର ଫାଇନାଲ ମ୍ୟାଚରେ କୁଚିଣ୍ଡା ଦଳ ଝାରସୁଗୁଡ଼ାକୁ ୧-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି।

ଗତ ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ପ୍ରତିଷ୍ଠିତ ଦଳ ଅଂଶଗ୍ରହଣ କରିଥିଲେ। ଗ୍ରୁପ୍ ‘ଏ’ରେ ରାଉରକେଲା, ବଲାଙ୍ଗୀର, କୁଚିଣ୍ଡା ଓ ଢେଙ୍କାନାଳ ରହିଥିବା ବେଳେ ଗ୍ରୁପ୍ ‘ବି’ରେ ସୁବର୍ଣ୍ଣପୁର, ଆଠମଲ୍ଲିକ, ଭଞ୍ଜନଗର ଓ ଝାରସୁଗୁଡା ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ଫାଇନାଲ ମ୍ୟାଚରେ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା, ମାତ୍ର କୁଚିଣ୍ଡା ଦଳ ଏକମାତ୍ର ଗୋଲ୍ ଦେଇ ବିଜୟୀ ହୋଇଥିଲା। କୁଚିଣ୍ଡା ଦଳକୁ ଚମ୍ପିୟାନ ଟ୍ରଫି ସହ ୩୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଉପ-ବିଜେତା ଝାରସୁଗୁଡ଼ା ଦଳକୁ ରନର୍ସଅପ୍ ଟ୍ରଫି ସହ ୨୦,୦୦୦ ଟଙ୍କା ପ୍ରଦାନ କରାଯାଇଛି।

ଶିବଶଙ୍କର ପଣ୍ଡା ମୁଖ୍ୟ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଗରିବ ବେହେରା ଓ ସୁଜିତ ରାଜହଂସ ଲାଇନ୍ସମ୍ୟାନ ଭାବେ ସହଯୋଗ କରିଥିଲେ। ଶିକ୍ଷକ ପ୍ରଦୀପ କୁମାର ବାହୁକ ଖେଳର ଜୀବନ୍ତ ଧାରା ବିବରଣୀ ପ୍ରଦାନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଏହି ଉଦଯାପନୀ ଉତ୍ସବରେ ବହୁ ସଂଖ୍ୟକ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।