ଅନ୍ୟାନ୍ୟ

ଆଠମଲ୍ଲିକ ଉପଖଣ୍ଡ ଚଷା ସମାଜର ପ୍ରସ୍ତୁତି ବୈଠକ-ବିଭିନ୍ନ ପ୍ରଗଣାକୁ ଭିନ୍ନ ଭିନ୍ନ ଦାୟିତ୍ଵ ବଣ୍ଟନ

By Angul TV Bureau

November 17, 2025

ଅନୁଗୁଳ: ରାଜ୍ୟସ୍ତରୀୟ ଚଷା ସମାବେଶ ନିମନ୍ତେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଚଷା ସମାଜର ପ୍ରସ୍ତୁତି ବୈଠକ ଠାକୁର ଗଡ଼ ଉ:ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସମାବେଶର ସଭାପତି ଉପେନ୍ଦ୍ର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଆଠମଲ୍ଲିକ ଉପଖଣ୍ଡର ଚାରି ଗୋଟି ପ୍ରଗଣାର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ଯୋଗଦେଇ ଡିସେମ୍ବର ୨୮ ରେ ହେବାକୁ ଥିବା ରାଜ୍ୟସ୍ତରୀୟ ଚଷା ସମାବେଶର ସଫଳତା ବିଷୟରେ ଆଲୋଚନା ହୋଇଥିଲା। ଏହି ସମାବେଶରେ ପଚିଶ ହଜାର ଚଷା ସମାଗମ ହେବାର ଆକଳନ କରାଯାଇଛି।

ଏଥିରେ ବିଭିନ୍ନ ପ୍ରଗଣାକୁ ଭିନ୍ନ ଭିନ୍ନ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ବୈଠକକୁ ଅଧ୍ୟାପକ ଜୟକୃଷ୍ଣ ପ୍ରଧାନ ସଂଯୋଜନା କରିଥିବା ବେଳେ ଆବାହକ ସୁରେନ୍ଦ୍ର ନାରାୟଣ ପ୍ରଧାନ ଉଦ୍ଦେଶ୍ୟ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ବାମୁର ପୁଞ୍ଜର ସଭାପତି ସଚ୍ଚିଦାନନ୍ଦ ପ୍ରଧାନ ବିଭିନ୍ନ କମିଟି ବଣ୍ଟନ ବିବରଣୀ ପ୍ରଦାନ କରିଥିଲେ। ସଭାରେ ଷୋଳପଦା ପ୍ରଗଣା, ପଇଁଚିକୂଳ ପ୍ରଗଣା, ଚଉରାଶି ପ୍ରଗଣା, ବାଇଶିପାଲି ପ୍ରଗଣାର ଭାଗିରଥି ସାହୁ, କପିଳେଶ୍ୱର ପ୍ରଧାନ, ଘାସିନାଥ ବିଶ୍ଵାଳ, ଉପେନ୍ଦ୍ର ପ୍ରଧାନଙ୍କ ସମେତ ଚଷା ସମାଜର କର୍ମକର୍ତ୍ତା ଯୋଗ ଦେଇଥିଲେ। ଶେଷରେ ଉପଖଣ୍ଡ ସମ୍ପାଦକ କୃପାସିନ୍ଧୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।