ମୁଖ୍ୟ ଖବର

ଆଠମଲ୍ଲିକରେ ସରକାରୀ ଯୋଜନା ତ୍ୱରାନ୍ୱିତ କରିବା ପାଇଁ ବିଧାୟକଙ୍କ ସମୀକ୍ଷା ବୈଠକ, ଯୋଗଦେଲେ ସମସ୍ତ ବିଭାଗୀୟ ଅଧିକାରୀ

By Swagatika Samantray

September 20, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ସରକାରୀ ଯୋଜନା ଓ କାର୍ଯ୍ଯକ୍ରମଗୁଡ଼ିକୁ ଅଧିକ ତ୍ବରାନ୍ବିତ କରିବା ଏବଂ ଅଚଳ ହୋଇ ପଡ଼ିଥିବା କୃଷି, ଜଳସେଚନ, ଉଠାଜଳ ସେଚନ ଓ ଅନ୍ଯାନ୍ଯ ସରକାରୀ ପଏଣ୍ଟ ଗୁଡ଼ିକ ତୁରନ୍ତ କାର୍ଯ୍ଯକ୍ଷମ ହେବା ଉପରେ ଏକ ସମୀକ୍ଷା ବୈଠକ ଆୟୋଜିତ ହୋଇଛି।

ଆଠମଲ୍ଲିକ ବିଧାୟକ ଇଂ ନଳିନୀକାନ୍ତ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଅନୁଗୁଳ ଜିଲ୍ଲା ପରିଷଦ ସମ୍ମେଳନ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷି, ଜଳସେଚନ, ଉଠା ଜଳସେଚନ, ପୂର୍ତ୍ତ, ଗ୍ରାମ ଉନ୍ନୟନ, ପଞ୍ଚାୟତ, ଖାଉଟି ଯୋଗାଣ, ଜଙ୍ଗଲ, କାରାଗାର, ସ୍ବାସ୍ଥ୍ଯ, ମହିଳା ବିକାଶ, ମତ୍ସ୍ଯ, ପ୍ରାଣୀ ସମ୍ପଦ, ଶିଳ୍ପ, ବିଦ୍ଯୁତ୍, ସ୍କୁଲ, ପାନୀୟ ଜଳ ଯୋଗାଣ ପ୍ରଭୂତି ବିଭାଗର ୬୦ ରୁ ଅଧିକ ଅଧିକାରୀ ଯୋଗ ଦେଇଥିଲେ।

ଏ ଅବସରରେ ଆଠମଲ୍ଲିକ ବ୍ଲକ୍ ୬୦ ଏବଂ କିଶୋରନଗର ବ୍ଲକରେ ୩୧ ପ୍ରତିଶତ ଜଳସେଚନ ହେବା ପାଇଁ ପ୍ରସ୍ତାବ ଦେଇଥିଲେ। ଜିଲ୍ଲା ପରିଷଦ ମୁଖ୍ଯ କାର୍ଯ୍ଯନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ପ୍ରଥମେ ପ୍ରାରମ୍ଭିକ ଅଭିଭାଷଣ ଦେଇ ସଭାକାର୍ଯ୍ଯକୁ ଆରମ୍ଭ କରିଥିଲେ । ପ୍ରତି ବିଭାଗର ପ୍ରତ୍ଯେକ କାମ ଉପରେ ବିଧାୟକ ସମୀକ୍ଷା କରିଥିଲେ। ସରକାରୀ ଯୋଜନାର ସଫଳତା ପାଇଁ ସବୁବେଳେ ପରସ୍ପର ସହଯୋଗ ପାଇଁ ପରାମର୍ଶ ଦେଇଥିଲେ।

ବୈଠକରେ ଜିଲ୍ଲା ପରିଷଦ ଅଧ୍ଯକ୍ଷ ବବିତା ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ପରିଷଦ ସଭ୍ଯସଭ୍ଯା ଓ ବ୍ଲକ୍ ଅଧ୍ଯକ୍ଷା, ଉପାଧ୍ଯକ୍ଷ ସମେତ ଆଠମଲ୍ଲିକ ଏନ୍ଏସି ଅଧ୍ଯକ୍ଷା ଯୋଗ ଦେଇଥିଲେ।