oplus_2097184

ମୁଖ୍ୟ ଖବର

ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ, ଥାନା ଘେରିଲେ ଆଇନଜୀବୀ

By Angul TV Bureau

November 02, 2026

ଅନୁଗୋଳ: ଅନୁଗୋଳ ଓକିଲ ସଂଘର ସଭାପତି ଦିଲୀପ କୁମାର ସାହୁଙ୍କ ଉପରେ ସୋମବାର ସକାଳେ ଆକ୍ରମଣ ହୋଇଥିବା ଅଭିଯୋଗକୁ ନେଇ ଅନୁଗୋଳରେ ଉତ୍ତେଜନା ପ୍ରକାଶ ପାଇଛି। ଆକ୍ରମଣକାରୀଙ୍କ ତୁରନ୍ତ ଗିରଫ ଦାବିରେ ଓକିଲ ସଂଘର ସଦସ୍ୟମାନେ ଟାଉନ ଥାନା ଘେରାଉ କରିବା ସହ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।

ସୂଚନା ଅନୁଯାୟୀ, ସୋମବାର ସକାଳେ ସଭାପତି ଶ୍ରୀ ସାହୁ ସ୍ଥାନୀୟ ପରିବା ମାର୍କେଟକୁ କିଣାକିଣି କରିବାକୁ ଯାଇଥିବା ସମୟରେ ହେମୁସୁରପଡ଼ାର ଯତୀନ ଓରଫ କାଳିଆ ସେଠୀ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ସାହୁ ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତେବେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିବା ଦାବିରେ ଓକିଲ ସଂଘର ସଦସ୍ୟମାନେ ଥାନା ସମ୍ମୁଖରେ ଧାରଣା ଦେବା ସହ ଜାତୀୟ ରାଜପଥ ଅବରୋଧ କରିଥିଲେ। ଅନୁଗୋଳ ଅତିରିକ୍ତ ଏସ୍‌ପି ରାଜୀବ ଲୋଚନ ପଣ୍ଡା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସେମାନେ ଦାବିରେ ଅଟଳ ରହିଥିଲେ।ଶେଷରେ ପୁଲିସ ଅଭିଯୁକ୍ତ ଯତୀନଙ୍କୁ ଗିରଫ କରି ରାତିରେ କୋର୍ଟ ଚାଲାଣ କରିଥିଲା। ଏହାପରେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।