ଘଟଣା ଓ ଦୁର୍ଘଟଣା

କାଫେରେ ଭଙ୍ଗାରୁଜା କରୁଥିବା ବେଳେ ପୋଲିସକୁ ଖବର ଦେଉଥିବା ଭାବି ଯୁବକକୁ ହାଣି ଦେଲେ ଦୁର୍ବୃତ୍ତ, ଭାଙ୍ଗି ଦେଲେ ମୋବାଇଲ

By Swagatika Samantray

February 26, 2025

ଅନୁଗୁଳ: ଏକ କାଫେରେ ଭଙ୍ଗାରୁଜା କରୁଥିବା ସମୟରେ ପୋଲିସକୁ ଖବର ଦେଉଥିବା ଭାବି ଯୁବକଙ୍କୁ ଆକ୍ରମଣ କରିଛି ଦୁର୍ବୃତ୍ତ। ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏଭଳି ଘଟଣା ଘଟିଛି।

ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ତୁରଙ୍ଗ ଛକ ନିକଟରେ ଥିବା ଏକ କାଫେରେ କିଛି ଦୁର୍ବୃତ୍ତ ପଶି ଭଙ୍ଗାରୁଜା କରିଥିଲେ। ଭୟରେ କେହି ତାଙ୍କୁ ଅଟକାଇ ନଥିଲେ। ଏହି ସମୟରେ ସେଠାରେ ଅଖିଳାନନ୍ଦ ସାହୁ ନାମକ ଜଣେ ଯୁବକ ଜଣେ ସହଯୋଗୀ ସହ ଅଫିସକୁ ଯିବାକୁ ବସକୁ ଅପେକ୍ଷା କରିଥିଲେ। ଅଖିଳାନନ୍ଦଙ୍କ ଏକ କଲ୍ ଆସିବାରୁ ସେ ଫୋନ ରିସିଭ କରି କଥା ହେଉଥିଲେ। ଏହା ଦେଖି ଜଣେ ଦୁର୍ବୃତ୍ତ ସେ ପୋଲିସକୁ ଫୋନ କରୁଥିବା ଭାବି ତାଙ୍କୁ ଅତର୍କିତ ଆକ୍ରମଣ କରିବା ସହ ତାଙ୍କ ହାତକୁ ଏକ ମାରଣାସ୍ତ୍ରରେ ହାଣିଦେଇଥିଲେ। ଏଥିସହ ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲା। ପରେ ଆକ୍ରମଣର ଶିକାର ହୋଇଥିବା ଯୁବକ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଖବର ଲେଖା ହେବା ଯାଏଁ କାଫେ ପକ୍ଷରୁ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।