ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଳଲହଡ଼ା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ଘରେ ପଶି ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପାଳଲହଡ଼ାର ଶିକୁନ ମୁଖୀ (୩୨)।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଗତ ୫ ତାରିଖ ରାତି ପ୍ରାୟ ୧୦ଟା ୩୦ ସମୟରେ ସେ ଶୋଇଥିବାବେଳେ ତାଙ୍କ ପୁଅ ବାହାରେ ଥିବାରୁ କବାଟ ଖୋଲା ଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଶିକୁନ ଘରେ ପଶି ଭିତରୁ କବାଟ କିଳିଦେଇ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲା। ମହିଳା ଜଣକ ପାଟି କରିବାରୁ ପୁଅ ଦୌଡ଼ିଆସି କବାଟ ବାଡ଼େଇଥିଲେ। ଅଭିଯୁକ୍ତ କବାଟ ଖୋଲି ପୁଅକୁ ଧକ୍କା ମାରି ଫେରାର ହୋଇଯାଇଥିଲା। ଗ୍ରାମବାସୀ ମଧ୍ୟ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ।
ଏନେଇ ୬ ତାରିଖ ସନ୍ଧ୍ୟାରେ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୨୬୯/୨୬ ରେ ବିଏନଏସର ଧାରା ୩୩୨(b)/୬୪(୧)/୬୨/୧୧୫(୨) ଅନୁଯାୟୀ ମାମଲା ରୁଜୁ କରିଥିଲା। ସୋମବାର ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଦୀପ କୁମାର ମହାନ୍ତ ସୂଚନା ଦେଇଛନ୍ତି।