ଅନୁଗୁଳ: ମହିଳାଙ୍କୁ ମୋବାଇଲ ନମ୍ବର ମାଗି ଛେଚା ଖାଇଲା ଅଟୋ ଡ୍ରାଇଭର। ରାସ୍ତା ଉପରେ ଚାପୁଡ଼ା ଚାପୁଡ଼ା କଷି ଦେଇଗଲେ ମହିଳା। ଆଜି ଅପରାହ୍ନରେ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ବେଳର ଭିଡିଓ ମଧ୍ୟ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି, ଯାହା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ, ଜଣେ ମହିଳା ଅନୁଗୁଳ ପୋଷ୍ଟ ଅଫିସ ନିକଟରେ ଠିଆ ହୋଇଥିବା ବେଳେ ଜଣେ ଅଟୋ ଚାଳକ ତାଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗୀତ କରିଥିଲେ ଓ ମୋବାଇଲ ନମ୍ବର ମାଗିଥିଲେ। ମହିଳା ଜଣକ ତାଙ୍କୁ ଯେତେ ଅଣଦେଖା କରୁଥାନ୍ତି, ସେ ସେତେ ତାଙ୍କ ପାଖକୁ ପାଖକୁ ଯାଇ ଖରାପ ଆଚରଣ କରୁଥାନ୍ତି। ଶେଷରେ ମହିଳା ଅତିଷ୍ଟ ହୋଇ ସ୍ୱାମୀଙ୍କୁ ଏ ନେଇ କହିଥିଲେ। ସ୍ୱାମୀ ଘଟଣାସ୍ଥଳରେ ପହଞ୍ଚିବା ପରେ ମହିଳା ଜଣକ ଅଟୋ ବାଲାକୁ ଡାକି ଚାପୁଡ଼ା ଚାପୁଡ଼ା କଷି ଦେଇଗଲେ। ବିଚରା ଅଟୋ ବାଲା ମାଡ଼ ଖାଇ କାନ ମୁଣ୍ଡା ଆଉଁସି ନିଜ ବାଟରେ ଚାଲିଯାଇଥିଲା। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାଯାଇଛି।