ଅନ୍ୟାନ୍ୟ

ଭିନ୍ନକ୍ଷମମାନଙ୍କ ଅଧିକାର ନେଇ ସଚେତନତା ଶିବିର

By Angul TV Bureau

October 30, 2021

ଅନୁଗୁଳ: ଭିନ୍ନକ୍ଷମମାନଙ୍କ ଅଧିକାର, ନିୟମ ଓ ବିଭିନ୍ନ ଯୋଜନା ନେଇ ଏକ ସଚେତନତା ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ସୁଲୋଚନା ଦାସ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ସମସ୍ତ ଆଇନ ଓ ସରକାରୀ ସୁବିଧା ତଥା ସହାୟକ ଉପକରଣ, ମଧୁବାବୁ ଭତ୍ତା, ଛାତ୍ର ବୃତ୍ତି, ବିବାହ ପ୍ରୋତ୍ସାହନ, ଚିକିତ୍ସା କ୍ଷେତ୍ରରେ ସୁବିଧା, ଅସ୍ତ୍ରୋପଚାର, ଦକ୍ଷତା ବିକାଶ ଏବଂ ଚାକିରି କ୍ଷେତ୍ରରେ ସୁବିଧା, ବସ୍‌ରେ ଯାତାୟତ ରିହାତି, କଲେଜରେ ପାଠ ପଢୁଥିବା ଦୃଷ୍ଟି ହୀନ ଛାତ୍ର ଛାତ୍ରୀମାନଙ୍କୁ ଲାପଟପ ପ୍ରଦାନ ଉପରେ ଆଲୋଚନା କରିଥିଲେ। ସମସ୍ତ ଅଧିକାରୀ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ଅନ୍ୟ ପକ୍ଷରେ ଭିନ୍ନକ୍ଷମମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟାଳୟରେ ରାମ୍ପର ବ୍ୟବସ୍ଥା କରିବା, ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଭିନ୍ନକ୍ଷମଙ୍କ ପାଇଁ ଜଣେ ଇଣ୍ଟରପ୍ରିଟର ରଖିବା ଓ ଥାନା ଗୁଡ଼ିକରେ ଜଣେ ଲେଖକ ରଖିବା ବାଧ୍ୟତା ମୂଳକ ଅଟେ ବୋଲି ପ୍ରକାଶ କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ସମାଜସେବୀ ଶିବ ଦାସ ପ୍ରମୁଖ ଯୋଗଦେଇ ସେମାନଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ର ପରିଚାଳନା କରିଥିଲେ। ଏହି ଅବସରରେ ୩ ଜଣ ଦମ୍ପତିଙ୍କୁ ବିବାହ ପ୍ରୋତ୍ସାହନ ରାଶି ବାବଦରେ ୨ଲକ୍ଷ ୫୦ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଆଞ୍ଚଳିକ ପରିବହନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଉପଖଣ୍ଡ ଓ ବ୍ଳକ୍ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।