ଅନ୍ୟାନ୍ୟ

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ

By Biswaranjan Pattnaik

October 19, 2021

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଅଶ୍ୱିନୀ କୁମାର ଖେତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସଂଘର ଉପ ସଭାପତି ଡ଼ା ସଂଘମିତ୍ରା ଦାସ,ସମ୍ପାଦକ ଡ଼ା ବିଜୟ କୁମାର ପ୍ରଧାନ,ସହକାରୀ ସମ୍ପାଦକ ଡ଼ା ଇପ୍ସିତା ନନ୍ଦ ଏବଂ କୋଷାଧ୍ୟକ୍ଷ ରୂପେ ଡ଼ା ତପସ୍ୱିନୀ ମିଶ୍ର ଯୋଗ ଦେଇଥିଲେ । ପଞ୍ଚାୟତସ୍ତରୀୟ ସ୍ୱାସ୍ଥ୍ୟସେବାରେ ଆୟୁଷ ଡାକ୍ତରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାବେଳେ ସରକାର ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଦୁର୍ଭାଗ୍ୟ ଜନକ ବୋଲି ସଂଘ ମତବ୍ୟକ୍ତ କରିଥିଲା। ସରକାର ଅନ୍ୟ କର୍ମଚାରୀଙ୍କୁ ଛ’ ବର୍ଷ ପରେ ନିୟମିତ କରୁଥିବାବେଳେ ଆୟୁଷ ଡାକ୍ତରମାନେ ଚଉଦ ବର୍ଷ କାମ କଲା ପରେ ବି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ। କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଆୟୁଷ ଡାକ୍ତରମାନେ ଜୀବନକୁ ବାଜି ଲଗାଇ କାମ କରିଥିଲେ। ସଂଘର ଦାବି ପ୍ରତି ସରକାରଙ୍କ କ୍ରମାଗତ ଅଣଦେଖା ଯୋଗୁଁ ଗତ ଗାନ୍ଧୀ ଜୟନ୍ତୀରୁ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ସେମାନଙ୍କ ଦାବି ନ ଶୁଣିଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସଂଘ କହିଛି।ଏହା ଛଡା ଆନ୍ଦୋଳନ ଯୋଗୁ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକ କକ୍ଷଚ୍ୟୁତ ହେବାର ସମ୍ଭାବନା ଦେଖା ଦେଇଛି। ସମାରୋହରେ କୋଡ଼ିଏ ରୁ ଅଧିକ ଆୟୁଷ ଡାକ୍ତର ଯୋଗ ଦେଇଥିଲେ ।