ଘଟଣା ଓ ଦୁର୍ଘଟଣା

କୋର୍ଟରୁ ଅଭିଯୁକ୍ତ ଚମ୍ପଟ୍

By Angul TV Bureau

August 18, 2022

ଅନୁଗୁଳ: ଅଦାଲତରେ ଏକ ଚୋରି ମାମଲାର ବିଚାର ଚାଲିଥିଲା। ଅଦାଲତ ଅଭିଯୁକ୍ତକୁ ଜେଲ୍‌ ଦଣ୍ଡାଦେଶ ସହ ଜରିମାନା ଆଦେଶ ଦେଇଥିଲେ। ଆଉ ଏହା ଶୁଣି ଛାନିଆ ହୋଇ ଯାଇଥିଲେ ଅଭିଯୁକ୍ତ। ସୁଯୋଗ ଦେଖି ଅଦାଲତରୁ ଚମ୍ପଟ ମାରିଥିଲେ। ଏମିତି ଏକ ଅଭାବନୀୟ ଘଟଣା ବୁଧବାର ଦେଖିବାକୁ ମିଳିଥିଲା ଅନୁଗୁଳ କୋର୍ଟ ପରିସରରେ। ସମସ୍ତଙ୍କ ସାମ୍‌ନାରେ ଅଭିଯୁକ୍ତ ଦୌଡ଼ି ଦୌଡ଼ି ପଳାଇବା ଘଟଣାକୁ ନେଇ ଅନ୍ୟ ଅଭିଯୁକ୍ତ ଓ ଆଇନଜୀବୀଙ୍କ ଭିତରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ, ଅନୁଗୁଳ ସିଜେଏମ୍‌ ଅଦାଲତରେ ଏକ ଚୋରି ମାମଲାର ରାୟ ପ୍ରକାଶ ପାଇଥିଲା। ଏଥିରେ କୁଇଓ ଅଞ୍ଚଳର ଜଣେ ଯୁବକଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ୩ ବର୍ଷର ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହା ସହିତ ୨୫ ହଜାର ଟଙ୍କାର ଜରିମାନା କରାଯାଇଥିଲା। ସେ ଆଗରୁ ବେଲ୍‌ରେ ଥିଲାବେଳେ ନିର୍ଦୋଷରେ ଖଲାସ ହୋଇଯିବେ ବୋଲି ଆଶା ରଖିଥିଲେ। କିନ୍ତୁ ଜେଲ୍‌ କଥା ଶୁଣି ଯୁବକ ଜଣଙ୍କ ଡରି ଯାଇଥିଲେ। ଏସକର୍ଟ ନ ଥିବାରୁ ଧୀରେ ଧୀରେ ପଛକୁ ଚାଲି ତା’ ପରେ ହଠାତ୍‌ ଦୌଡ଼ିଥିଲେ। କେହି କିଛି ବୁଝିବା ଆଗରୁ କୋର୍ଟ ପରିସରରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କୁଆଡ଼େ ଚାଲି ଯାଇଥିଲେ। ଧର ଧର ବୋଲି କହିଲା ବେଳକୁ ତାଙ୍କର ଆଉ ପତ୍ତା ମିଳି ନଥିଲା। ପରେ ତାଙ୍କ ସହ ଯୋଗାଯୋଗ କରିଥିଲେ ଓକିଲ। ୩ ବର୍ଷ ଜେଲ ଦଣ୍ଡାଦେଶ ହେଲେ ମଧ୍ୟ ଜାମିନ୍‌ ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ଶୁଣି ପୁଣି ଥରେ ଅଦାଲତକୁ ସେ ଆସିଥିଲେ। ଜଣେ ଜାମିନଦାରଙ୍କ ମାର୍ଫତରେ ତାଙ୍କର ଜାମିନ୍‌ ହୋଇଯାଇଥିଲା।