ଅନୁଗୁଳ: ଅନୁଗୁଳ ଜିଲ୍ଲାର ନୂତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ହୋଇଛନ୍ତି ବବିତା ପ୍ରଧାନ। ବବିତା କିଶୋରନଗର ବ୍ଲକ ୧୧ ନମ୍ବର ଜୋନ୍ରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢ଼ି ୪୨୧ ଖଣ୍ଡ ଭୋଟ୍ରେ ଜିତିଛନ୍ତି। ପୂର୍ବରୁ ସେ କିଶୋରନଗର ବ୍ଲକର ଅଧ୍ୟକ୍ଷା ଥିଲେ। ଚଳିତ ନିର୍ବାଚନରେ ଅନୁଗୁଳ ଜିଲ୍ଲାର ମୋଟ୍ ୨୮ଟି ଜୋନ୍ ମଧ୍ୟରୁ ବିଜୁ ଜନତା ଦଳ ୨୭ଟିରେ ବିଜୟୀ ହୋଇଥିଲା। ଜିଲ୍ଳା ପରିଷଦରେ ବିଜେଡିର ସଂଖ୍ୟା ଗରିଷ୍ଠତା ସତ୍ତ୍ୱେ ଅଧ୍ୟକ୍ଷ କିଏ ହେବ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏଥିପାଇଁ ଦଳର କିଛି ନେତା ଉପର ମୁଣ୍ଡରେ ଲବି କରିବା ବି ଆରମ୍ଭ କରିଦେଇଥିଲେ। କିନ୍ତୁ ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବବିତା ପ୍ରଧାନଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରିଛନ୍ତି। ରବିବାର ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ ବବିତା ପ୍ରଧାନଙ୍କ ନାଁ ଘୋଷଣା କରିଥିଲେ। ଫଳରେ ତାଙ୍କ ସମର୍ଥକ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିଲା। ବବିତା ନିର୍ଦ୍ଵନ୍ଦରେ ପରିଷଦ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ।