ମୁଖ୍ୟ ଖବର

ଅନୁଗୋଳରେ ‘କନ୍ୟାରତ୍ନ ସମ୍ବର୍ଦ୍ଧନା ଉତ୍ସବ’ ସମ୍ପନ୍ନ, ନବଜାତ କନ୍ୟା ଓ ସେମାନଙ୍କ ମା’ଙ୍କୁ ବେବି କିଟ୍ ପ୍ରଦାନ

By Angul TV Bureau

October 22, 2026

ଅନୁଗୋଳ: ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଅନୁଗୋଳ ଜିଲ୍ଲାରେ “କନ୍ୟାରତ୍ନ ସମ୍ବର୍ଦ୍ଧନା ଉତ୍ସବ” ଅନୁଷ୍ଠିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ କନ୍ୟା ଓ ସେମାନଙ୍କ ମା’ମାନଙ୍କୁ ବେବି କିଟ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ଅଧ୍ୟକ୍ଷା ମୃଦୁଳା ଟି. ପ୍ରଧାନ କହିଥିଲେ, “ଆମ ସଂସ୍କୃତିରେ କନ୍ୟାରତ୍ନ ହେଉଛନ୍ତି ସାକ୍ଷାତ ମା’ ଦୁର୍ଗାଙ୍କ ରୂପ। ସେମାନଙ୍କୁ ସ୍ନେହ ଓ ସମ୍ମାନ ଦେବା ଅର୍ଥ ଆମେ ନାରୀଶକ୍ତିକୁ ପୂଜା କରିବା। ଶିଶୁକନ୍ୟାର ସ୍ୱାସ୍ଥ୍ୟ ଓ ପୋଷଣ ପ୍ରତି ଯତ୍ନ ନେବା ଜରୁରୀ।”

ସେ ଆହୁରି କହିଥିଲେ, ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ମାର୍ଗଦର୍ଶନରେ ଫାଉଣ୍ଡେସନ କନ୍ୟା ସୁରକ୍ଷା ବାର୍ତ୍ତା ପହଞ୍ଚାଉଛି ଏବଂ ଝିଅଙ୍କ ଭବିଷ୍ୟତ ପାଇଁ ସମସ୍ତେ ‘ସୁକନ୍ୟା ସମୃଦ୍ଧି ଯୋଜନା’ର ଲାଭ ନିଅନ୍ତୁ। “ଜଣେ କନ୍ୟା ଶିକ୍ଷିତ ହେଲେ ସମଗ୍ର ସମାଜ ସମୃଦ୍ଧ ହୁଏ”।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ, ସିଡିଏମଓ, ବିକାଶ ଫାଉଣ୍ଡେସନ ବରିଷ୍ଠ କର୍ମକର୍ତ୍ତା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଏବଂ ଅଭିଭାବକ ପ୍ରମୁଖ ଉପସ୍ଥିତ ଥିଲେ।