ମୁଖ୍ୟ ଖବର

ବଳଭଦ୍ର ରଥରୁ ପଡ଼ିଯିବା, ରାଷ୍ଟ୍ର ପାଇଁ ଅଶୁଭ ସଂକେତ: ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ହୋଇଛି ଲିଖିତ

By Angul TV Bureau

July 10, 2024

ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ମହାପ୍ରଭୁ ବଡ଼ ଠାକୁର ବଡ଼ ବାଡ଼ ବଳଭଦ୍ର ରଥ ଉପରୁ ଖସିପଡ଼ିଥିଲେ। ଠାକୁରଙ୍କ ପଛରେ ଲାଗିଥିବା ପାଟ ସୂତା ସେବାୟତଙ୍କ ହାତରୁ ଖସିଯାଇଥିଲା। ଫଳରେ ଚାରମାଳ ଉପରୁ ପାଖାପାଖି ୪-୫ ହାତ ତଳକୁ ଖସିଯାଇଥିଲେ ବଳଭଦ୍ର। ତେବେ ବଡ଼ ଦିଅଁଙ୍କ ପହଣ୍ଡି ସମୟରେ ଏଭଳି ଅଘଟଣ ଘଟିବା ଆଦୌ ଶୁଭଙ୍କର ନୁହେଁ। ଏ ନେଇ ଗ୍ରନ୍ଥରେ ମଧ୍ୟ ଅନେକ କଥା ବର୍ଣ୍ଣିତ ଅଛି। ରଥରେ ଏହିପରି ଅଘଟଣ ଘଟିଲେ ରାଷ୍ଟ୍ର ପ୍ରତି ବହୁ ବିପଦ ଦେଖାଯାଏ। ଏହି ଅଘଟଣ ଦେଖାଗଲେ କ’ଣ ହୁଏ ସେ ସମ୍ପର୍କରେ ସ୍ୱୟଂବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଛନ୍ତି। ଏହା ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ସବିଶଦ ବର୍ଣ୍ଣନା କରାଯାଇଛି। ଆସନ୍ତୁ ସେ ବିଷୟରେ ଜାଣିବା…

ମୁରବୈରିଣ ଏତସ୍ୟ ତସ୍ୟ ଜଗଦୀଶସ୍ୟ ସ୍ୟ ଭୂପତେଃ।

ଭଦ୍ରାୟାଶ୍ଚ ବଳସ୍ୟାପି ପ୍ରମାଦାତ୍‌ ପତନଂ ଯଦି।। ମହାଭୟଂ ନୃପସ୍ୟାପି ରାଜ୍ୟସ୍ୟାପି ଭବେଦ୍ଧ୍ରୁବମ୍‌।

ଦୁର୍ଭିକ୍ଷଂ ମରଣଂ ଚୈବ ଜାୟତେ ଚ ପୁନଃ ପୁନଃ ।।

ହେ ରାଜା! ଅସାବଧାନତା ହେତୁ ଯଦି ଜଗନ୍ନାଥ, ବଳଭଦ୍ର କିମ୍ବା ସୁଭଦ୍ରା ତଳେ ପଡ଼ିଯାଆନ୍ତି ତେବେ ରାଜ୍ୟ ରାଜାଙ୍କର ଏବଂ ରାଜ୍ୟର ମହାଅନିଷ୍ଟ ହେବ। ଦୁର୍ଭିକ୍ଷ ପଡ଼ିବ। ମହାମାରୀ ବାରମ୍ବାର ହେବ।

ଶ୍ରୀପତେଃ ପତନେ ଯାବନ୍ନଶ୍ୟେତ୍ସା ମହିଷୀ ନୃପ। ଅତଃ ଶାନ୍ତିଂ ତଦା କୁର୍ଯ୍ୟାଦ୍‌ ବିଷ୍ଣୁପ୍ରୀଣନହେତବେ।।

ପହଣ୍ଡି ସମୟରେ ଠାକୁର ପଡ଼ିଗଲେ ମହିଷୀ (ରାଣୀ)ଙ୍କର ମୃତ୍ୟୁ ହେବ। ତେଣୁ ବିଷ୍ଣୁଙ୍କର ପ୍ରୀତି ଉଦ୍ଦେଶ୍ୟରେ ଶାନ୍ତି ବିଧାନ କରିବ।

ବିପ୍ରଦ୍ୱାରା ମୂଳମନ୍ତ୍ରଂ ଲକ୍ଷମାତ୍ରଂ ଚ ଜାପୟେତ୍‌ ହୋମସ୍ତମନ୍ତ୍ରତଃ କାର୍ଯ୍ୟସ୍ତଦ୍ଦଶାଂଶେନ ତର୍ପଣମ୍‌।।

ଅର୍ଥାତ୍‌, ବ୍ରାହ୍ମଣମାନଙ୍କ ଦ୍ୱାରା ମୂଳମନ୍ତ୍ର ଏକ ଲକ୍ଷ ବାର ଜପ କରାଇବ। ସେତିକି ସଂଖ୍ୟକ ଅର୍ଥାତ୍‌ ଗବ୍ୟ ଘୃତରେ ଏକ ଲକ୍ଷ ଆହୁତି ଦେଇ ହୋମ କରିବ। ତାହାର ଏକ ଦଶମାଂଶ ଅର୍ଥାତ୍‌ ଦଶହଜାର ତର୍ପଣ କରାଇବ।