ମୁଖ୍ୟ ଖବର

ଦୁର୍ନୀତିର ଗନ୍ଧ !! ବଡବାବୁଙ୍କୁ ବାଡେଇଲେ ଅତିରିକ୍ତ ନିର୍ଦ୍ଦେଶକ !

By Biswaranjan Pattnaik

July 27, 2023

ଅନୁଗୁଳ: ଅନୁଗୁଳ ମାଛ ମାର୍କେଟ ନିକଟରେ ଥିବା ଯୋଜନା ଓ ସମନ୍ବୟ ବିଭାଗର ବଡବାବୁ ବିଦ୍ୟାଧର ସେଠୀଙ୍କୁ ଅଫିସର ଅତିରିକ୍ତ ନିର୍ଦ୍ଦେଶକ ଗୌରହରି ସାହୁ ଓ ପିନାକୀ ନାମକ ଅନ୍ୟ ଜଣେ ଷ୍ଟାଫ୍ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।ଶ୍ରୀ ସେଠୀଙ୍କ ଅଭିଯୋଗ ଅନୁସାରେ ଅପରାହ୍ନ ପ୍ରାୟ ସାଢେ଼ ତିନିଟା ବେଳେ ଅଫିସର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିବା ବେଳେ ଅଧିକାରୀ ଶ୍ରୀ ସାହୁ ବିଦ୍ୟାଧରଙ୍କୁ ଉପରମହଲାକୁ ଡାକି କିଛି ଫାଇଲ ନେଇ ଆସିବାକୁ କହିଥିଲେ।

ଫାଇଲ ନେଇ ଯିବାରେ ସାମାନ୍ୟ ବିଳମ୍ବ ହେବାରୁ ଗୌରହରି ଓ ପିନାକୀ ନାମକ କର୍ମଚାରୀ ପୁରୁଣା ରାଗ ରଖି ଲୁହା ଚୌକିରେ ଶ୍ରୀ ସେଠୀଙ୍କ ଉପରେ କଚି ଦେଇଥିଲେ। ଏଥିରେ ଶ୍ରୀ ସେଠୀ ତଳେ ପଡ଼ିଯାଇ ଆହତ ହୋଇଥିଲେ। ଉଭୟ ଶ୍ରୀ ସେଠୀଙ୍କୁ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ମାରିଦେବାକୁ ଧମକ ଦେଇଥିଲେ। ଅଧିକାରୀ ଶ୍ରୀ ସାହୁ ଅଫିସର ବିଭିନ୍ନ ଦୁର୍ନୀତିରେ ଜଡିତ ଅଛନ୍ତି ଯଥା ବୀମା ଦୁର୍ନୀତି ଏବଂ ପଇସା ନେଇ ଅଫିସର କର୍ମଚାରୀ ମାନଙ୍କୁ ମନ ଇଚ୍ଛା ଛୁଟି ଦେଇ ଦିଅନ୍ତି। ସବୁ କାଗଜରେ ଶ୍ରୀ ସେଠୀଙ୍କୁ ଦସ୍ତଖତ ମାରିଦେବାକୁ କୁହନ୍ତି କିନ୍ତୁ ସେ ରାଜି ନ ହେବାରୁ ରାଗ ରଖି ସେ ଏଭଳି ଆକ୍ରମଣ କରିଥିବା ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି ।