ଅନ୍ୟାନ୍ୟ

ଶିକ୍ଷକ ନିଯୁକ୍ତି ଦାବିରେ ବଲଙ୍ଗ ପଞ୍ଚାୟତବାସୀଙ୍କ ବିକ୍ଷୋଭ

By Angul TV Bureau

December 20, 2021

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଲଙ୍ଗ ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ଦାବିରେ ସୋମବାର ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବଲଙ୍ଗ, ତଳସିରା, ଲବଙ୍ଗୀ, ଜୁକୁବୁ, ପମ୍ପାସର ଆଦି ଗ୍ରାମର ୫ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଅନୁଗୁଳ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମାକରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବଲଙ୍ଗ ଗ୍ରାମ ସଭାପତି ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ମାନସ ପାଳ, ଦିବାକର ବେହେରା, ବାଦଲ ଦେହୁରୀ, ଦୁର୍ଯ୍ୟୋଧନ ଜେନା, ଆଲୋକଚାନ୍ଦ ସାହୁ, ଛାତ୍ରନେତା ନାରାୟଣ ନାୟକ ଏବଂ ସ୍ଥାନୀୟ ସରପଞ୍ଚ ପ୍ରମୁଖ ବକ୍ତବ୍ୟ ରଖ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଥିଲେ।ସୂଚନା ଯେ, ବଲଙ୍ଗ ପଞ୍ଚାୟତ ପାହାଡ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ବନ୍ୟଜନ୍ତୁଙ୍କ ଦୌରାତ୍ମ୍ୟ, ମୋବାଇଲ୍‌ ଟାୱାର ନାହିଁ, ରାସ୍ତାଘାଟ ଅବସ୍ଥା ଖରାପ। ଅନ୍‌ଲାଇନ୍‌ କିମ୍ବା ଅନ୍ୟକୌଣସି ବିକଳ୍ପ ବ୍ୟବସ୍ଥା ନଥିବାବେଳେ ବିଦ୍ୟାଳୟରେ ଥିବା ଶିକ୍ଷକମାନଙ୍କ ମଧ୍ୟରୁ ଗୋଟିଏ ପରେ ଗୋଟିଏ ଶିକ୍ଷା ବିଭାଗ ଡେପୁଟେସନରେ ଅନ୍ୟ ସ୍ଥାନକୁ ନେଇଯାଉଥିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ପରେ ବିକ୍ଷୋଭସ୍ଥଳରୁ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ଶିକ୍ଷାଧୀକାରୀଙ୍କ ଉପସ୍ଥିତିରେ ଆଲୋଚନା କରିଥିଲେ। ଜଣେ ଶିକ୍ଷକଙ୍କର ଡେପୁଟେସନ୍ ରଦ୍ଦକରି ପୁନଃ ଅପସ୍ଥାପିତ କରିବାସହ ଅନ୍ୟଜଣେ ଶିକ୍ଷକଙ୍କୁ ଗୁରୁବାର ଠାରୁ ନିଯୁକ୍ତ କରି ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ବିକ୍ଷୋଭରୁ ଓହରିଥିଲେ।