ମୁଖ୍ୟ ଖବର

ତାଳଚେର ଅଞ୍ଚଳରୁ ଲୋପ ପାଇଲାଣି ବାଉଁଶଗଛ: କୌଳିକ ବୃତ୍ତି ହରାଉଛନ୍ତି ଗାଁ ବ୍ୟବସାୟୀ

By Angul TV Bureau

December 04, 2025

ତାଳଚେର: ବାଉଁଶଗଛ ପରିବେଶ ସୁରକ୍ଷା କରିବା ଦିଗରେ ମୁଖ୍ୟ ଭୂମିକା ରହିଛି। ବିଶେଷ କରି ଗାଁ ମୁଣ୍ଡରେ କିମ୍ବା ଫାର୍ମ ହାଉସ୍ ଗୁଡ଼ିକରେ ରହିଥିବା ବାଉଁଶବଣ ବଡ଼ଧରଣର ବାତ୍ୟା ପବନକୁ ଅଟକାଇ ଧନଜୀବନ ରକ୍ଷା କରିବା ଦିଗରେ ସହାୟକ ହୋଇଥାଏ। ର୍ପୂବରୁ ଲୋକମାନେ ବାଉଁଶରେ ଘର ଛପର କରିବା ସହିତ ନୌକାରେ ଆହୁଲା ପାଇଁ ବାଉଁଶକୁ ବ୍ୟବହାର କରୁଥିଲେ। ଏହି ବାଉଁଶରେ ଘରର ବିଭିନ୍ନ ପ୍ରକାର ଉପକରଣ ଯଥା ଜୁଲା, ବେତୁଲି, ଟୁକେଇ, ଝାମ୍ପି, ଡ଼ଲା, କୁଲା, ମୁଗୁରା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ।

ଏବେ ସମୟ ବଦଳି ଯାଇଛି ବାଉଁଶ ଦ୍ୱାରା ପ୍ରସ୍ତୁତ ଏହି ସବୁ ଜିନିଷ ଆବଶ୍ୟକ ହେଉନଥିବା ବେଳେ ପ୍ଲାଷ୍ଟିକ୍ ଦ୍ୱାରା ଏସବୁ ଜିନିଷର ଚାହିଦା ବଢ଼ିଛି। ଯାହା ଫଳରେ ଗାଁ ବ୍ୟବସାୟୀ ମଧ୍ୟ ତାର କୌଳିକ ବୃତ୍ତିକୁ ହରାଉଛି। ଘରଛପର ପାଇଁ ବାଉଁଶ ଦରକାର ହୋଇଥିବା ବେଳେ ଏବେ ଘର ଗୁଡ଼ିକ ସବୁ କଙ୍କ୍ରିଟ୍ ଛାତ ନିର୍ମିତ ହେଉଛି। ଯାହାକୁ ନେଇ ଏବେ ବାଉଁଶଗଛ ଧିରେ ଧିରେ ଲୋପ ପାଇବାକୁ ବସିଲାଣି।

ନିକଟରେ ଅନୁଗୁଳ ଜିଲ୍ଲା ତାଳଚେର ସହର ଠାରୁ ଆରମ୍ଭକରି ଉପଖଣ୍ଡ ଅଂଚଳ ପର୍ଯ୍ୟନ୍ତ ଆଉ ବାଉଁଶଗଛ ଦେଖିବାକୁ ସେତେଟା ମିଳୁନାହିଁ। ହାତୀଙ୍କ ପ୍ରିୟ ଖାଦ୍ୟ ବାଉଁଶ, ଜଙ୍ଗଲରେ ଏହା ଲୋପ ପାଇ ଆସୁଥିବା ବେଳେ ହାତୀମାନେ ଗାଁ କିମ୍ବା ସହର ମୁହାଁ ହେବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବାଉଁଶ ଚାଷ କରିବାକୁ ଚାଷୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହ ବିଭିନ୍ନ ଢ଼ଙ୍ଗରେ ବାଉଁଶଗଛ ରୋପଣ କରିବାକୁ ପ୍ରକୃତିପ୍ରେମୀମାନେ ମତପ୍ରକାଶ କରିଛନ୍ତି।